ଦେଶ ଶୁଣିଲା ଓଡିଆ କଣ୍ଠଶିଳ୍ପୀଙ୍କ ସ୍ୱର : ଭୋଟରଙ୍କୁ ସଚେତନ କରିବା ପାଇଁ ନିର୍ବାଚନ କମିଶନ ପ୍ରସ୍ତୁତ କରିଥିବା ଗୀତ ଗାଇଲେ ଦୀପ୍ତିରେଖା

934

କନକ ବ୍ୟୁରୋ : ଓଡ଼ିଶାର ଜଣାଶୁଣା ଗାୟିକା ଦୀପ୍ତିରେଖାଙ୍କ ଗୀତ ଶୁଣିଲା ସାରାଦେଶ । ଭୋଟରଙ୍କ ପାଇଁ ଗୀତ ଗାଇଲେ ଦୀପ୍ତି । ଜାତୀୟ ଭୋଟର ଦିବସରେ ମୁଖ୍ୟ ନିର୍ବାଚନ କମିଶନ ପକ୍ଷରୁ ଭୋଟରଙ୍କ ପାଇଁ ଏକ ସଂଗୀତ ସମର୍ପିତ କରାଯାଇଛି । ଗୀତର ଶୀର୍ଷକ ରହିଛି ‘ମୁଁ ଭାରତ’, ‘ଆମେ ଭାରତର ମତଦାତା’ । ଏହି ଗୀତକୁ ୧୨ଟି ଭାଷାରେ ପରିବେଷଣ କରାଯାଇଛି । ଜଣାଶୁଣା ସିନେ ନିର୍ମାତା ସୁଭାଷ ଘାଇଙ୍କ ଟିମ୍ ସୁଭାଷ ଗାଇ ଫାଉଣ୍ଡେସନ ଏହାକୁ ପ୍ରସ୍ତୁତ କରିଛନ୍ତି ।

ଏହି ଗୀତ ଦେଶର ସମସ୍ତ ଭୋଟରଙ୍କୁ ଉତ୍ସର୍ଗୀକୃତ କରାଯାଇଛି । ଗୀତରେ ନିଜର କଣ୍ଠଦାନ କରିଛନ୍ତି ଦୀପ୍ତିରେଖା । ଦୀପ୍ତିଙ୍କ ସମେତ ୧୮ ସେଲିବ୍ରିଟି ଗାୟିକା ମଧ୍ୟ ଏହି ଗୀତରେ କଣ୍ଠଦାନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଉପସ୍ଥିତ ଥିଲେ । ଦୀପ୍ତିଙ୍କ ସମେତ ଅନ୍ୟ କଳାକାରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ, ଲୋକପ୍ରିୟ ଗାୟକ ସୋନୁ ନିଗମ, ପଦ୍ମଶ୍ରୀ କେଏସ ଚିତ୍ରା, ଅଭିନେତା ପଙ୍କଜ ତ୍ରିପାଠୀ ଏବଂ ଅନ୍ୟ କଳାକାର ଉପସ୍ଥିତ ଥିଲେ ।