ପ୍ରତିମାସର ତୃତୀୟ ସପ୍ତାହରେ ଗାଁକୁ ଯିବେ ବାବୁ : ସବୁ ବିଭାଗକୁ ଚିଠି କଲେ ଉନ୍ନୟନ କମିଶନର; ଫିଲ୍ଡ ଭିଜିଟ ସହ ରାତ୍ରି ରହଣି ପାଇଁ ନିର୍ଦ୍ଦେଶ

1,869

କନକ ବ୍ୟୁରୋ : ଗାଁକୁ ଯିବା ପାଇଁ ଅଫିସରମାନଙ୍କୁ ନିର୍ଦ୍ଦେଶ । ପ୍ରତିମାସର ତୃତୀୟ ସପ୍ତାହରେ ବରିଷ୍ଠ ଅଧିକାରୀ ଓ ସଚିବମାନଙ୍କୁ ଗାଁକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଦାୟିତ୍ୱରେ ଥାଆନ୍ତୁ ବା ନଥାନ୍ତୁ ଫିଲ୍ଡ ଭିଜିଟ କରିବା ସହ ଅନୁନତ ଅଞ୍ଚଳରେ ରାତ୍ରି ରହଣୀ କରିବେ ସମସ୍ତ ବରିଷ୍ଠ ଅଧିକାରୀ ଓ ସଚିବ । ଏନେଇ ଏକ ଚିଠି କରିଛନ୍ତି ଉନ୍ନୟନ କମିଶନର । ଏହି ଚିଠିରେ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ନିରୀକ୍ଷଣ ଓ ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏପରିକି ପ୍ରତିମାସରେ ଫିଲ୍ଡ ଭିଜିଟ ପାଇଁ ତୃତୀୟ ସପ୍ତାହରେ ରାଜ୍ୟସ୍ତରୀୟ କୌଣସି ମିଟିଂ କରାଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, କୃଷି, ଦକ୍ଷତା ବିକାଶ ଓ ନିବେଶ କ୍ଷେତ୍ରରେ ଉନ୍ନତି ପାଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏଗୁଡ଼ିକ କିଭଳି ସମାଜର ସବୁ ବର୍ଗଙ୍କ ପାଖରେ ପହଞ୍ଚିବ ସେନେଇ ଅଫିସରମାନେ ପଦକ୍ଷେପ ନେବେ । ଅଫିସରମାନେ ଗ୍ରାମାଞ୍ଚଳକୁ ଗସ୍ତ କରିବା ଫଳରେ ଲୋକ ସମ୍ପର୍କ ବଢ଼ିବ ଏବଂ ସରକାରଙ୍କ ଉତର ଦାୟିତ୍ୱ ମଧ୍ୟ ବୃଦ୍ଧି ହେବ । ଲୋକଙ୍କଠାରୁ ପ୍ରତିକ୍ରିୟା ଗ୍ରହଣ କରି ସରକାର ଅଧିକ ଉତର ଦାୟିତ୍ୱର ସହ କାମ କରିବେ ।