ଏସଏସସି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ଗିରଫ, କେସିଆରଙ୍କୁ ଧମକ ଦେଲା ବିଜେପି

368

କନକ ବ୍ୟୁରୋ : ସେକେଣ୍ଡାରୀ ସ୍କୁଲ ସାର୍ଟିଫିକେଟ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଂଜୟ କୁମାରଙ୍କୁ ଗିରଫ କରାଯାଇଛି । ତାଙ୍କ ଗିରଫ ପରେ ରାଜନୀତି ଜୋର ଧରିଛି । ବିଜେପି ସଂଜୟଙ୍କ ଗିରଫ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ, ଚନ୍ଦ୍ରଶେଖର ରାଓଙ୍କୁ ଧମକ ଦେଇଛି । ବିଜେପି ଦାବି କରିଛି କି ବନ୍ଦୀ ସଂଜୟ କୁମାରଙ୍କୁ ମିଥ୍ୟା ମାମଲାରେ କେସିଆର ଗିରଫ କରାଇଛନ୍ତି । ଏହା ପୂର୍ବରୁ କାଲି ମଧ୍ୟରାତ୍ରରେ ତେଲେଙ୍ଗାନା ପୋଲିସ ବନ୍ଦୀ ସଂଜୟ କୁମାରଙ୍କ କରିମନଗର ସ୍ଥିତ ବାସଭବନରେ ପହଂଚିଥିଲା । ଏହାପରେ ତାଙ୍କୁ ପୋଲିସ ଷ୍ଟେସନ ଅଣାଯାଇଥିଲା । ଏଠାରେ ତାଙ୍କୁ କିଛି ସମୟ ଜେରା ପରେ ଗିରଫ କରାଯାଇଛି । ବନ୍ଦୀ ସଂଜୟ କୁମାରଙ୍କ ଗିରଫ ପରେ ବିଜେପି ଆଇଟି ସେଲ ପକ୍ଷରୁ କେସିଆରଙ୍କୁ ଧମକ ଦେଇ କୁହାଯାଇଛି କି, ଏହାର ଫଳାଫଳ ଭଲ ହେବ ନାହିଁ ।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅମିତ୍ ମାଲବୀୟ ଟ୍ୱିଟ କରି କହିଛନ୍ତି କି, ଅଧାରାତିରେ ପୋଲିସ ଏକ ମନଗଢା କାହାଣୀ ପ୍ରସ୍ତୁତ କରି ବନ୍ଦୀ ସଂଜୟ କୁମାରଙ୍କୁ ଗିରଫ କରିନେଇଛି । କେସିଆର ସରକାରଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ । ସେପଟେ ବିଜେପିର ମହାସଚିବ ତରୁଣ ଚୁଧ ତାଙ୍କ ଟ୍ୱିଟରରେ ମଧ୍ୟ ସମାନ କଥା ଲେଖଛନ୍ତି । ବନ୍ଦୀ ସଂଜୟ କୁମାରଙ୍କ ଗିରଫକୁ ନିନ୍ଦା କରିବା ସହ ସେ ଲେଖିଛନ୍ତି କି, ପୋଲିସ ବିଜେପି ବିରୋଧରେ ଏକ ଟୁଲ ପ୍ରସ୍ତୁତ କରିଛି । କେସିଆରଙ୍କୁ ତାଙ୍କ ପାପର ହିସାବ ଦେବାକୁ ପଡିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଜେପିର ରାଜ୍ୟ ମୁଖ୍ୟ ଗିରଫ ହେବା ପରେ ଏହାକୁ ନେଇ ରାଜ୍ୟସାରା ବିଜେପି ତରଫରୁ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ଗିରଫ ପରେ ବନ୍ଦୀ ସଂଜୟ କୁମାର କହିଛନ୍ତି କି, ବିଆରଏସ ମଧ୍ୟରେ ଭୟ ଜମାଟ ବାନ୍ଧି ସାରିଲାଣି । ପ୍ରଥମେ ମୋତେ ସାମ୍ବାଦିକ ସମ୍ମିଳନୀ କରିବାକୁ ଅନୁମତି ମିଳିଲା ନାହିଁ ଓ ଏବେ ମଧ୍ୟରାତ୍ରରେ ମୋତେ ଗିରଫ କରାଯାଇଛି ବୋଲି ବିଜେପି ତେଲେଙ୍ଗାନା ମୁଖ୍ୟ କହିଛନ୍ତି ।