ଆଜିି ଓଡିଶା ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ : ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା

110

କନକ ବ୍ୟୁରୋ : ଆଜିି ଓଡିଶା ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ଉଭୟ ବିଜେଡି ଓ ବିଜେପି । ସମର୍ଥନ ଯୋଗାଡ କରିବା ପାଇଁ ଓଡିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ସକାଳ ୮ଟା ୪୫ରେ ସେ ବିମାନ ବନ୍ଦରରେ ପହଞ୍ଚିବେ କାର୍ଯ୍ୟକ୍ରମ ରହିଛି । ସେଠାରୁ ସେ ନବୀନ ନିବାସ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ବିଧାନସଭା ଯିବେ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡିର ବିଧାୟକ ଓ ସାଂସଦମାନଙ୍କୁ ଭେଟି ତାଙ୍କୁ ସମର୍ଥନ ଦେବାକୁ ଅପିଲ କରିବେ ।

ତାପରେ ରାଜ୍ୟ ଅତିଥି ଭବନରେ ବିଜେପି ନେତାଙ୍କୁ ଭେଟିବେ । ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ, ଏନଡିଏର ପ୍ରାର୍ଥୀ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ଏହି ସାମୁଖ୍ୟରେ ବିଜେଡି ନାହିଁ । କିନ୍ତୁ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ବିଜେଡି ଘୋଷଣା କରିସାରିଛି । ଦ୍ରୌପଦୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ମଧ୍ୟ ଉତ୍ସାହିତ ଅଛି । ସ୍ୱାଗତ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଚାଲିଛି । କିନ୍ତୁ ଦ୍ରୌପଦୀଙ୍କୁ ସମର୍ଥନ କରିବ ନାହିଁ ଖୋଲାଖୋଲି କହିଛି କଂଗ୍ରେସ । ଗୋଟିଏ ପଟେ ଦ୍ରୌପଦୀଙ୍କ ବିଜୟ ପାଇଁ ପଥ ସୁଗମ ହେଉଥିବାବେଳେ, ବିରୋଧୀ ଦଳ ପ୍ରାର୍ଥୀ ଯଶୋୱନ୍ତ ସିହ୍ନା ବିଭିନ୍ନ ରାଜ୍ୟ ଗସ୍ତକୁ ବାତିଲ କରି ଚାଲିଛନ୍ତି ।

ଏପରିକି ଯଶୋବନ୍ତଙ୍କୁ ପ୍ରାର୍ଥୀ କରିଥିବା ମମତା ବାନାର୍ଜୀ ମଧ୍ୟ ଆଉ ସାମନାକୁ ଆସୁନାହାଁନ୍ତି । ବିରୋଧୀ ଦଳର ପ୍ରମୁଖ ସହଯୋଗୀ ହୋଇଥିଲେ ବି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାହାକୁ ସମର୍ଥନ କରିବ ସେ କାର୍ଡ ଖୋଲି ନାହିଁ । ବିରୋଧୀଙ୍କ ଏହି ଦ୍ୱନ୍ଦ୍ୱ ଦ୍ରୌପଦୀଙ୍କ ପାଇଁ ବିଜୟର ପଥକୁ ଆହୁରି ସୁଗମ କରି ଚାଲିଛି ।