ଆସୁଛି ଆଉ ଏକ ଲଘୁଚାପ : ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ; ଆଜି ୯ ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

927

କନକ ବ୍ୟୁରୋ : ତାତିରୁ ମିଳିବ ଆଶ୍ୱସ୍ତି । ଆସୁଛି ଆଉ ଏକ ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ ସୃଷ୍ଟି ହେବାର ଆକଳନ କରାଯାଇଛି । ଏହା ଦିନେ କିମ୍ବା ୨ଦିନ ମଧ୍ୟରେ ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିବ । ତାପରେ ରୂପରେଖ ଏବଂ ପରବର୍ତ୍ତୀ ପ୍ରଭାବ ସମ୍ପର୍କରେ ଜଣାପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କିନ୍ତୁ ଏହା ଅଧିକ ଘନୀଭୁତ ହୋଇନପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି ।

ଆଗକୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ତାତି ଜାରି ରହିବ । ଏଥିସହ ଆସନ୍ତା ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ବି ସମ୍ଭାବନା ରହିଛି । ରାଜ୍ୟର ୯ ଜିଲ୍ଲାରେ ବଜ୍ରପାତ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ କଟକ । ଏହି ସବୁ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ । ଏହାଛଡ଼ା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ସୁନ୍ଦରଗଡ଼ର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷାର ବି ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ରବିବାର ଦିନ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ଏଥିସହ ସୁନ୍ଦରଗଡ଼, ଦେବଗଡ଼, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଯାଜପୁର, ଭଦ୍ରକ ଓ ବାଲେଶ୍ବରର କିଛି କିଛି ସ୍ଥାନରେ ବର୍ଷା ହୋଇଛି । ୧୭ ଓ ୧୮ ତାରିଖ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ୧୭ ତାରିଖ ଦିନ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ।

ଏସବୁ ଜିଲ୍ଲାରେ ବଜ୍ରପାତଜନିତ ଧନଜୀବନ ହାନୀର ଆଶଙ୍କା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଧା ଓ ପୁରୀ ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାର କିଛି କିଛି ସ୍ଥାନରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ରହିଛି ।