୨୪ ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ୪ ଜିଲ୍ଲା ପାଇଁ ଅରେଞ୍ଜ ଓ ୬ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି

4,940

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓ ଲଘୁଚାପ ଏବେ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସ୍ଥିର ହୋଇ ରହିବା ସହ କ୍ରମଶଃ ଦୁର୍ବଳ ହେବାକୁ ଆରମ୍ଭ କରିଛି।  ତେବେ, ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଆଉକିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ ।

ଏଥିସହ, ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଥିବା ବେଳେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ତେବେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ। ସେହିପରି ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, କେନ୍ଦୁଝର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ଜଗତସିଂହପୁର।