ଗୁମ୍ମା ପାହାଡରେ ପହଞ୍ଚିଲା ପ୍ରଶାସନ । କ୍ଷତିଗ୍ରସ୍ତଙ୍କୁ ୧ ଲକ୍ଷ ଟଙ୍କା, ପକ୍କା ଘର ଓ ଆସବାବ ପତ୍ର ପାଇଁ ସହାୟତା ପ୍ରଦାନ କଲେ ଆଦିବାସୀ ଉନ୍ନୟନ ମନ୍ତ୍ରୀ

ଗତକାଲି ପାହାଡ ଧସି ଭାଙ୍ଗି ଯାଇଛି ୨୦ ଘର

259

କନକ ବ୍ୟୁରୋ: ଗଜପତିର ଗୁମ୍ମା ପାହାଡ ଧସିଥିବା ଅଂଚଳରେ ପହଂଚଛି ଜିଲ୍ଲା ପ୍ରଶାସନ । ପାହାଡ ଧସି କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ତୁରନ୍ତ ସହୟାତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏ ଜିଲ୍ଲା ପ୍ରଶାସନର ଏକ ଟିମ୍ ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଲଙ୍ଗ ଗାଁରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଛନ୍ତି । ଘଟଣାସ୍ଥଳ ପରିଦର୍ଶନ କରିବା ସହ କ୍ଷତିଗ୍ରସ୍ତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି, ସରକାରୀ ଯୋଜନାରେ ପକ୍କା ଘରର କାର୍ଯ୍ୟାଦେଶ ଓ ଆସବାବ ପତ୍ର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏହାସହ ସ୍ଥିତିରେ ସଂପୂର୍ଣ୍ଣ ସୁଧାର ନଆସିବା ଯାଏଁ ଅସହାୟ ପରିବାରଙ୍କ ରିଲିଫ ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ।

ସେପଟେ,  ରାସ୍ତା ଉପରେ ଧସି ପଥର ହଟାଇବା କାମ ଜାରି ରହିଛି । ପଥରକୁ କାଟି ରାସ୍ତା ସଫା କରିବା କାମରେ ଜିଲ୍ଲା ପ୍ରଶାସନ ଲାଗିଛି । ୨୦୦ ସିସିର ଏକ ଏକଜାଭେଟର ଜରିଆରେ ପଥର ହଟାଇବା ପାଇଁ ଉଦ୍ୟମ କରାଯାଉଛି । ହେଲେ ତାହା ସମ୍ଭବ ହେବା ଭଳି ଲାଗୁନାହିଁ । ପଥରଟି ଅତି ବିଶାଳ କାୟ ହୋଇଥିବାରୁ ଏହାକୁ ରାସ୍ତାରୁ ହଟାଇବା କଷ୍ଟକର ହୋଇପଡିଛି । ହୁଏତ ବିସ୍ଫୋରଣ କରି ପଥରକୁ ଫଟାଇବା ପରେ ରାସ୍ତାରୁ ହଟାଯିବ ।

ଆଜି ଘଟଣାସ୍ଥଳରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜେପି ନେତା ଗିରିଧାରୀ ଗମାଙ୍ଗ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାସ୍ତାକୁ ବନ୍ଦ କରି ଜିଲ୍ଲା ପ୍ରଶାସନ ପଥର କାଢିବା କାମ ଜାରି ରଖିଛି । ଲଗାଣ ବର୍ଷାରେ ରାୟଗଡା ଗୁଣୁପୁର ପୁଟାସିଂ ରାସ୍ତାରେ ଗତକାଲି ପାହାଡରୁ ବିଶାଳକାୟ ପଥର ଧସିଥିଲା । ଏହି ପଥର ଆଜି ବି ସେମିତି ରାସ୍ତା ଉପରେ ପଡି ରହିଛି । ରାଂଜିତାଲ ପାହାଡରୁ ପ୍ରବଳ ବର୍ଷା ପରେ ଖସି ଆସିଥିବା ଏହି ପଥର ଏତେ ବିଶାଳ ଯେ ପୁରା ରାସ୍ତାକୁ ମାଡି ବସିଛି । ସେତେ ଯେମିତି ପଥର ରାସ୍ତାକୁ ଜଗିଛି । ଗତକାଲିର ଏହି ଘଟଣା ପରେ ପରେ ରାସ୍ତାରେ ଗମନାଗମନ ପୁରା ଠପ୍ ରହିଛି ।