ୟୁନିଫର୍ମ ବର୍ଜନ କରିବେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ : ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱରୁ ଦେବେ ଇସ୍ତଫା; କରିବେନି ମଧ୍ୟାହ୍ନ ଭୋଜନ ପରିଚାଳନା

932

କନକ ବ୍ୟୁରୋ : ୟୁନିଫର୍ମ ବର୍ଜନ କରିବେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ । ଆଜି ବିନା ୟୁନିଫର୍ମରେ ସ୍କୁଲରେ ଯୋଗଦେବେ । କ୍ଲାସ୍ରୁମ୍ରେ ୟୁନିଫର୍ମ ପିନ୍ଧିବେ ନାହିଁ । ରାଜ୍ୟ ସରକାରଙ୍କ କୌଣସି କାର୍ଯ୍ୟକ୍ରମ କିମ୍ବା ଯୋଜନା ସ୍କୁଲରେ କାର୍ଯ୍ୟକାରୀ କରିବାରେ ସହଯୋଗ କରିବେ ନାହିଁ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ପଦ ଛାଡିବେ ।

ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ୱରୁ ଦୂରେଇ ରଖିବେ । ଯେଉଁମାନେ ସିଆରସିସି ପଦରେ ରହିଛନ୍ତି ସେମାନେ ଇସ୍ତଫା ଦେବେ । ପ୍ରାଥମିକ ଶିକ୍ଷକ ଷ୍ଟିଅରିଂ କମିଟି ବୈଠକରେ ଏପରି ନିଷ୍ପତି ନିଆଯାଇଛି । ୩ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ରାଜ୍ୟ ସରକାରଙ୍କୁ ସମସ୍ତ କ୍ଷେତ୍ରରେ ଅସହଯୋଗ କରିବେ । ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଡାକରା ଦେଇଥିଲା ପ୍ରାଥମିକ ଶିକ୍ଷକ ମହାସଂଘ ।

ଦେଢ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟି ନେଇ ଆସୁଥିବାରୁ ସେମାନଙ୍କୁ ରୋକିବା ଲାଗି ପ୍ରସ୍ତୁତି କରାଯାଇଥିଲା । ଛୁଟି ନଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଲୋୟର ପିଏମଜିରେ ଆନ୍ଦୋଳନ ପାଇଁ ଅନୁମତି ନମିଳିବା ପରେ ପ୍ରଦର୍ଶନୀ ପଡିଆରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏକାଠି ହୋଇଥିଲେ । ସେଠାରେ ବୈଠକ କରି ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯାଇଥିଲା ।

ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ବାତିଲ୍‌ କରି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହ ୬ ଓ ୮ ବର୍ଷ ଶିକ୍ଷକ ସହାୟକ କାର୍ଯ୍ୟକାଳକୁ ୬ ଓ ୮ଟି ନୋସନାଲ ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା, ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ଓ ନୂତନ ପେନସନ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍‌ ପୁନଃ ପ୍ରଚଳନ କରିବା‌ ଦାବି ରହିଛି ।