ଦେଶରେ ଶୁଖିଲା ପଡିଛି ଅନେକ ନଦୀ : ଜଳ ସଂରକ୍ଷଣ ଓ ପୁନଃରୁଦ୍ଧାର ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦିଆଗଲା ପିଟିସନ୍

81

କନକ ବ୍ୟୁରୋ : ଦେଶରେ ଶୁଷ୍ମ ହେଉଥିବା ନଦୀଗୁଡିକରେ ଜଳ ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଓଡିଶା କୃଷକ ମହାସଂଘ ଓ ସେବାସମିତି ପକ୍ଷରୁ ଏକ ପିଟିସନ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ଗତ ୩୦ ବର୍ଷର ସ୍ଥିତିକୁ ତୁଳନା କଲେ ଦେଶର ନଦୀଗୁଡିକରେ ଜଳସ୍ରୋତ ପ୍ରାୟ ୭୦ ପ୍ରତିଶତ କମିଲାଣି । ଏହାର ମୁଖ୍ୟ କାରଣ ହେଉଛି, ଜଙ୍ଗଲ ଧ୍ୱଂସ ହେଉଥିବାରୁ ପାହାଡ ପର୍ବତରେ ଥିବା ଝରଣା ଶୁଖିଗଲାଣି ।

ମନଇଛା ଗଛକଟା, ବଡ ବଡ କୋଠା ନିର୍ମାଣ ଓ ପ୍ରାକୃତିକ ସମ୍ପଦର ଦୁରୁପଯୋଗ ଯୋଗୁଁ ଅନେକ ସହରାଂଚଳ ଓ ଗାଁ ଗହଳିରେ ଭୂତଳ ଜଳସ୍ତର ବି କମିଗଲାଣି । ତେଣୁ ଯୁଦ୍ଧକାଳୀନ ଭିତିରେ କେନ୍ଦ୍ର ସରକାର ଏ ବାବଦରେ କିଛି ପଦେକ୍ଷପ ନନେଲେ ସ୍ଥିତି ବିଗିଡିବା ସମ୍ଭାବନା ରହିଛି । ଏପରିକି ଗୃହଯୁଦ୍ଧ ବି ହୋଇପାରେ । ଆଗକୁ ସ୍ଥିତି ନ ବିଗିଡିବା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସଙ୍ଗଠନ ପକ୍ଷରୁ ୧୬ଟି ସୁଚିନ୍ତିତ ପ୍ରସ୍ତାବଦିଆଯାଇଛି । ଆଉ ଏହାକୁ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବାକୁ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛି ସଙ୍ଗଠନ । ପ୍ରମୁଖ ପ୍ରସ୍ତାବ ମଧ୍ୟରେ ରହିଛି, ଘରର ତିଆରିରେ ବ୍ୟବହାର କରାଯାଉଥିବା କାଠ ଉପକରଣକୁ ସଂପୂର୍ଣ୍ଣ ରୂପେ ବ୍ୟାନ କରାଯାଉ । ଏହାପ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ଯୁଦ୍ଧକାଳୀନ ଭିତିରେ ପର୍ବତଗୁଡିକରେ ବନୀକରଣ ପାଇଁ ପଦକ୍ଷେପ ନେବାକୁ ବି କୁହାଯାଉଛି । ପ୍ରତ୍ୟେକ ରାଜ୍ୟର ନଦୀକୂଳରେ ଗଛ ଲଗାଇବାକୁ ବି ପରାମର୍ଶ ଦିଆଯାଇଛି ।ଏଥିପାଇଁ ମନରେଗା ପାଣ୍ଠିକୁ ବ୍ୟବହାର କରାଯାଇପାରେ । ତେଲେଙ୍ଗାନା ରାଜ୍ୟ ପଂଚାୟତିରାଜ ଆଇନକୁ ଅନୁସରଣ କରିବାକୁ ବି ପରାମର୍ଶ ଦିଆଯାଇଛି । ବାୟୋ-ଡିଜେଲର ଉତ୍ପାଦନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ବନୀକରଣ ଓ ପରିବେଶ ସମ୍ପର୍କିତ ବିଷୟକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବା, ଆପର୍ଟମେଂଟ ନିର୍ମାଣ ବନ୍ଦ କରିବା ଓ ବନୀକରଣ ଯୋଜନାକୁ ଘରେଇ ଏଜେନସିକୁ ଦେବାକୁ ପସ୍ତାବ ଦିଆଯାଇଛି । ଓଡିଶା କୃଷକ ମହାଂସଘର ସଭାପତି ବିଭୁଦେନ୍ଦ୍ର ପ୍ରତାପ ଦାସ ଓ ଓଡିଶା ସେବା ସମିତିର ସଭାପତି ମାନସ ରଂଜନ ବାବୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏହି ପିଟିସନ ଦେଇଛନ୍ତି ।