ଇଣ୍ଟରନେଟରେ ସବୁଠୁ ପଛରେ ପଡିଛି ଓଡ଼ିଶା । ସାମନାକୁ ଆସିଲା ଟେଲି ଯୋଗାଯୋଗର ବିକଳ ଚିତ୍ର 

କଲେକ୍ଟରଙ୍କ ସହ କଥା ହେବା ପାଇଁ ପାହାଡ଼ ଚଢ଼ିଲେ ନବ ନିର୍ବାଚିତ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା

531

କନକ ବ୍ୟୁରୋ: ରାଜ୍ୟରେ କିଭଳି ମୋବାଇଲ ନେଟୱାର୍କ ସମସ୍ୟା ରହିଛି ତାର ତାଜା ଚିତ୍ର ଏବେ ସାମ୍ନାକୁ ଆସିଛି । ଗାଁରେ ନେଟୱାର୍କ ଆସୁନଥିବାରୁ ପାହାଡ ଚଢ଼ି ନେଟୱାର୍କ ଖୋଜୁଛନ୍ତି କୋରାପୁଟ ଜିଲ୍ଲା ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷ ସସ୍ମିତା ମେଲେକା । ଲୋକଙ୍କ ସମସ୍ୟା ଜଣାଇବା ପାଇଁ ଜିଲ୍ଲାପାଳଙ୍କ ସହ କଥା ହେବାକୁ ଗାଁରେ ଚେଷ୍ଟା କରିଥିଲେ ବି ମୋବାଇଲ ନଲାଗିବାରୁ, ନେଟୱାର୍କ ଖୋଜି ଖୋଜି ପାହାଡ ଚଢ଼ିଥିଲେ  । ପାହାଡ ଉପରକୁ ଚଢ଼ିବା ପରେ ଲାଗିଥିଲା ମୋବାଇଲ  ।

କୋରାପୁଟ ଜିଲ୍ଳାର ପ୍ରାୟ ୩୦୦ ଗାଁରେ ମୋବାଇଲ ନେଟୱାର୍କ ସମସ୍ୟା ରହିଛି । ନେଟୱାର୍କ ନଥିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତେବେ ଗାଁର ଝିଅ ସସ୍ମିତା ସମସ୍ୟାକୁ ଅଙ୍ଗେ ଲିଭାଇଥିବାରୁ, ସମାଧାନ ପାଇଁ ଏବେ ନିଜେ ଅଣ୍ଟା ଭିଡିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେବା ପରେ, କେମିତି ଜିଲ୍ଳାରେ ଟେଲି ଯୋଗାଯୋଗ ବଢ଼ିବ ଓ ସମସ୍ୟାର ସମାଧାନ ହେବ, ସେନେଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

କେବଳ କୋରାପୁଟ ନୁହେଁ ଓଡ଼ିଶାର ପାଖାପାଖି ୬୦୯୯ଟି ଗାଁକୁ ମୋବାଇଲ ନେଟୱାର୍କ୍ ନଥିବା ଲୋକସଭାରେ କେନ୍ଦ୍ର ସରକାର ସୂଚନା ଦେଇଥିଲେ ଏବଂ ମୋବାଇଲ ନେଟୱାର୍କ ନଥିବା ଗାଁ ତାଲିକାରେ ଓଡିଶା ଦେଶର ପ୍ରଥମ ରାଜ୍ୟ  । ତେଣୁ ଓଡିଶାରୁ ସାଂସଦ ଥିବା ଅଶ୍ୱିନୀ ବୈଷ୍ଣବ ବର୍ତ୍ତମାନ ଟେଲିକମ ବିଭାଗ ମନ୍ତ୍ରୀ ଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ।