ଜମୁଛି ପୌର ପ୍ରଚାର, ହେଲେ ମୈଦାନରେ ନାହାନ୍ତି ମୁଖିଆ । ଭୋଟରଙ୍କୁ ମନେଇବାରେ ଲାଗିଛନ୍ତି ନେତା ।

122

କନକ ବ୍ୟୁରୋ: ପୌର ନିର୍ବାଚନ ପାଇଁ ପ୍ରଚାର କରିବେ ନାହିଁ ତିନି ଦଳର ପ୍ରମୁଖ ନେତା । ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ସରଗରମ ଚାଲିଛି, କିନ୍ତୁ ଏଥର ପୌର ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ପ୍ରଚାର କରିବେ ନାହିଁ ବୋଲି ସୂଚନା ମିଳିଛି । ସେପେଟ ପୌର ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଚାର କରିବେ ନାହିଁ । ରାଜ୍ୟ ବିଜେପି ମୁଖପାତ୍ର କହିଛନ୍ତି, ୫ରାଜ୍ୟର ନିର୍ବାଚନ ପରେ ସରକାର ଗଠନ ପ୍ରକ୍ରିୟାରେ ବ୍ୟସ୍ତ ରହିବେ । ସମୟ ଅଭାବରୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ର ପୌର ନିର୍ବାଚନ କରିବେ ନାହିଁ । ପୂର୍ବରୁ ପୌର ନିର୍ବାଚନ ପାଇଁ ପ୍ରଚାର କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିପରି ଅସୁସ୍ଥତା କାରଣରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରଚାର କରିବେ ନାହିଁ ବୋଲି ଜଣାପଡିଛି । ଡାକ୍ତରଙ୍କ ପରାମର୍ଶ ମାନି ସେ ବିଶ୍ରାମ ନେଉଛନ୍ତି, ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି କହିଛନ୍ତି, କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ।

ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ କଟକ ମହାନଗରରେ ପ୍ରଚାର ଜୋର ଧରିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଡ ବଡ ନେତାଙ୍କୁ ସାଙ୍ଗରେ ଧରି ଲୋକଙ୍କ ନିକଟକୁ ଭୋଟ ମାଗିବାକୁ ଯାଉଛନ୍ତି ପ୍ରାର୍ଥୀ । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବିଧାୟକ ମହମ୍ମଦ ମୋକିମ, ବିଜେପି ପ୍ରାର୍ଥୀଙ୍କ ପାଇଁ ସମୀର ମହାନ୍ତି ଓ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରତାପ ଜେନା ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି । ଅନ୍ୟପଟେ ବିଜେଡିର ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁଲୋଚନା ଦାସ ଯୁଆଡେ ପ୍ରଚାର ପାଇଁ ଯାଉଛନ୍ତି, ଭିଡ ଦେଖିବାକୁ ମିଳୁଛି । ବିଧାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ଦଳୀୟ କର୍ମୀଙ୍କୁ ଧରି ପ୍ରଚାର କରିଛନ୍ତି ଭୁବନେଶ୍ୱର ମେୟର ପ୍ରାର୍ଥୀ । ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ନିକଟକୁ ଯାଉଛନ୍ତି ସୁଲୋଚନା ।

  • ସାଇକେଲରେ ପ୍ରଚାର କଲେ ସାଂସଦ
  • ସ୍କୁଟିରେ ବୁଲି ଭୋଟ ମାଗିଲେ ବିଧାୟକ

ଏପଟେ ସାଇକେଲ ଚଳାଇ ନିର୍ବାଚନ ପ୍ରଚାର କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ କର୍ମୀଙ୍କ ସହ ସାଇକେଲରେ ବୁଲି ପ୍ରଚାର କରିଛନ୍ତି । ଘର ଘର ବୁଲି ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି ବାଲେଶ୍ୱର ସାଂସଦ । ସେହିପରି କୋରାପୁଟର ସୁନାବେଡା ପୌରପାଳିକାରେ କୋରାପୁଟ ବିଧାୟକ ରଘୁରାମ ପୋଡାଲ ଓ ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ ସ୍କୁଟି ଚଳାଇ ପ୍ରଚାର କରିଛନ୍ତି । ୱାର୍ଡକୁ ୱାର୍ଡ ସ୍କୁଟିରେ ବୁଲି ନିଜ ଦଳୀୟ ପାର୍ôଥଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ରାୟଗଡାରେ ବିଶାଳ ସମାବେଶର ଆୟୋଜନ କରି ପ୍ରଚାର କରିଛନ୍ତି ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚି ନାୟକ । ବିକାଶର କଥା କହି ବିଜେଡି ପ୍ରାର୍ଥଙ୍କୁ ଭୋଟ ଦେବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ବ୍ରହ୍ମପୁର ମହାନଗରରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି କେନ୍ଦ୍ର ଜଳ ଶକ୍ତି ବିଭାଗର ମନ୍ତ୍ରୀ ବିଶେଶ୍ୱର ଟୁଡୁ । ଖାଲି ସେତିକି ନୁହେଁ ପୌର ପ୍ରଚାରରେ ଓଲିଉଡର ଅନେକ କଳାକାର ମଧ୍ୟ ସାମିଲ ହୋଇଛନ୍ତି । ସେପଟେ ଝାରସୁଗୁଡା ବେଳପାହାଡରେ ପ୍ରଚାର କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଶୋଭାଯାତ୍ରା ଓ ପ୍ରଚାର ସଭା କରି ସେ ଭୋଟ ମାଗିଛନ୍ତି । ବରଗଡ ଜିଲ୍ଲା ପଦ୍ମପୁର ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତିି ମନ୍ତ୍ରୀ ସୁଶାନ୍ତ ସିଂ । ଏକ ବିରାଟ ପଟୁଆରରେ ବାହାରି ପଦ୍ମପୁର ସହରର ବିଭିନ୍ନ ୱାର୍ଡକୁ ଯାଇ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।