ଆପ୍ ଫୋକସରେ ଓଡିଶା? ବର୍ଷ ଶେଷକୁ ଓଡିଶା ଆସିପାରନ୍ତି କେଜ୍ରିୱାଲ୍ । ଅନ୍ୟ ଦଳର ଅସନ୍ତୁଷ୍ଟଙ୍କ ଉପରେ ରହିଛି ନଜର

194

କନକ ବ୍ୟୁରୋ: ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାସୀନ ହେବା ପରେ ଅନ୍ୟ ରାଜ୍ୟରେ ପ୍ରଭାବ ବିସ୍ତାର ପାଇଁ ଜୋରଦାର ଉଦ୍ୟମ ଚଳାଇଛି ଆମ ଆଦମୀ ପାର୍ଟି । ଉତ୍ତରାଖଣ୍ଡ, ଗୁଜରାଟ ଓ ଗୋଆ ପରେ ଓଡିଶା ଉପରେ ନଜର ପକାଇଛି ଦଳ । ରାଜ୍ୟରେ ବିଜେଡି-ବିଜେପିର ବିକଳ୍ପ ଦେବାକୁ ପ୍ରସ୍ତୁତ କରୁଛି ରଣନୀତି ।

  • ଆପର ଓଡିଶା ଉପରେ ଫୋକସ?
  • ଅନ୍ୟ ଦଳର ଅସନ୍ତୁଷ୍ଟଙ୍କ ଉପରେ ନଜର

ରବିବାର ଦିନ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ କରୁଛି ଆପ୍ । ଏଥିରେ ଆପର କେନ୍ଦ୍ରୀୟ ନେତୃତ୍ୱ ସାମିଲ ହେବେ । ଆଉ ଏହା ସହ ଓଡିଶାରେ ଆପର ସଙ୍ଗଠନ ବିସ୍ତାର ପାଇଁ ପ୍ରସ୍ତୁତ ହେବ ରଣନୀତି । ଓଡିଶାରେ ବିଜେଡି-ବିଜେପିର ବିକଳ୍ପ ହେବାକୁ ଉଦ୍ୟମ ଆରମ୍ଭ କରିଛି ଆମ ଆଦମୀ ପାର୍ଟି । ମିଳିଥିବା ସୂଚନା ଅନୁସାରେ, ବର୍ଷ ଶେଷରେ ଓଡିଶା ଆସିପାରନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । କୁହାଯାଉଛି, ଅନ୍ୟ ଦଳର ଅସନ୍ତୁଷ୍ଟ ନେତାଙ୍କ ଉପରେ ନଜର ପକାଇଛି ଦଳ । ବିଜେଡି, ବିଜେପି ଓ କଂଗ୍ରେସର ଅନେକ ବରିଷ୍ଠ ନେତା ଏହି ଦିନ ଆପରେ ସାମିଲ ହୋଇପାରନ୍ତି ।

ଜାତୀୟ ସ୍ତରରେ କଂଗ୍ରେସର ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି । ଏଭଳି ସ୍ଥଳେ ଅରବିନ୍ଦ କେଜରିୱାଲ ନିଜକୁ ମୋଦିଙ୍କ ବିକଳ୍ପ ଭାବେ ଉଭା ହେବାକୁ ଚାହୁଁଛନ୍ତି । ଆଉ ଏଭଳି ଓଡିଶା ସମେତ ବିଭିନ୍ନ ରାଜ୍ୟ ଉପରେ ନଜର ପକାଇଛି ଦଳ । ଅନ୍ୟ ଦଳର ଛାମୁଆ ନେତାଙ୍କୁ ନିଜ ଆଡକୁ ଆଣି ସଙ୍ଗଠନ ବିସ୍ତାର ଲକ୍ଷ୍ୟରେ ରହିଛି । ବିଜେଡି, ବିଜେପିି ଓ କଂଗ୍ରେସ ଆମ ଆଦମୀ ପାର୍ଟିର ଏଭଳି ରଣନୀତିକୁ ହାଲକା ଭାବେ ନେଇଛନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ ୧୪୭ ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୦୬ ଆସନରେ ପ୍ରାର୍ଥୀ ଦେଇଥିଲା ଆପ୍ । ସେଥିମଧ୍ୟରୁ ୫୮ ଜଣ ପ୍ରାର୍ଥୀ ହଜାରେରୁ କମ ଭୋଟ ପାଇଥିଲେ । ସେଥିମଧ୍ୟରୁ ଅନେକ ପ୍ରାର୍ଥୀ ୩ ଶହରୁ କମ ଭୋଟ ପାଇଥିଲେ । କିନ୍ତୁ ପୌର ନିର୍ବାଚନରେ ବ୍ରହ୍ମପୁରରେ କଂଗ୍ରେସକୁ ପଛରେ ପକାଇ ତୃତୀୟ ସ୍ଥାନକୁ ଆସିଥିଲା ଆମ ଆଦମୀ ପାର୍ଟି । ତେଣୁ ଓଡିଶା ଉପରେ ଫୋକସ କରି କିଛି କରିସ୍ମା କରିବେ କି କେଜରିୱାଲ ତା ଉପରେ ରହିଛି ନଜର ।