ମାଲିପଦର ଜଙ୍ଗଲରେ ଏନକାଉଣ୍ଟର ଘଟଣା : କୋତାମେଟାରେ ରାତିସାରା ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ଉଠାଇ ନେଲା ପୋଲିସ

83

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ମାଲିପଦର ଜଙ୍ଗଲରେ ଏନକାଉଣ୍ଟର ଘଟଣାକୁ ନେଇ ଆନ୍ଦୋଳନ କରୁଥିବା ଲୋକଙ୍କୁ ଉଠାଇନେଲା ପୋଲିସ । ମାଓବାଦୀ କହି ନିରିହ ଗ୍ରାମବାସୀଙ୍କୁ ପୁଲିସ ମିଥ୍ୟା ଏନକାଉଣ୍ଟର ମାରିଥିବା ଅଭିଯୋଗ କରି ଲୋକେ ରାସ୍ତା ଅବରୋଧ କରିଥିଲେ । କୋତାମେଟାରେ ଗତକାଲିଠାରୁ ଲୋକେ ଆନ୍ଦୋଳନ କରୁଥିଲେ । ମୃତ ଧନ କମାରଙ୍କ ମୃତଦେହ ଓ ନ୍ୟାୟ ସହ କ୍ଷତିପୂରଣ ଦାବିରେ ରାତି ସାରା ଆନ୍ଦୋଳନ ଚାଲିଥିଲା ।

ଫଳରେ ଗତକାଲିଠାରୁ ମାଲକାନଗିରି-ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା । ଆଜି ସକାଳୁ ସକାଳୁ ରାସ୍ତା ଅବରୋଧ ହଟାଇବାକୁ ମାଲକାନଗିରି ପୋଲିସ ଏପରି ପଦକ୍ଷେପ ନେଇଛି । ଲୋକଙ୍କ ସହ ଆଦିବାସୀ ନେତା ଶରତ ବୁରୁଦାଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଛି । ଫଳରେ ଜାତୀୟ ରାଜପଥରେ ଜାତାୟତ ସ୍ୱାଭାବିକ ହୋଇଛି । ଗତ ୯ ତାରିଖରେ କୋରାପୁଟ ଜିଲ୍ଲା ମାଲିପଦର ଜଙ୍ଗଲରେ ପୁଲିସ ଦୁଇ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିବା ସୂଚନା ଦେଇଥିଲା । ଏନକାଉଣ୍ଟରରେ ମାଲକାନଗିରି ଜିଲ୍ଲା ସର୍ଗିଗୁଡା ଗାଁର ଧନ କମାର ପ୍ରାଣ ହରାଇଥିଲେ ।

ପୁଲିସ ଧନ କମାରଙ୍କୁ ମାଓବାଦୀ ବୋଲି କହୁଛି, ହେଲେ ଗ୍ରାମବାସୀ ମୃତ ଧନ କମାର ମାଓବାଦୀ ନୁହେଁ ବୋଲି କହିଛନ୍ତି । ଧନ କମାର ଦିନ ମଜୁରି କରି ପରିବାର ଚଳାଉଥିଲେ । ପୁଲିସ ତାଙ୍କୁ ଗୁଳି କରି ହତ୍ୟା କରିବା ପରେ ମିଛରେ ମାଓବାଦୀ ସଜାଉଛି । ପୁଲିସ ନୀରିହ ଗ୍ରାମବାସୀଙ୍କୁ ହତ୍ୟା କରି ପ୍ରଶଂସା ନେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗାଁଲୋକଙ୍କ ଅଭିଯୋଗ ପରେ ମାଲିପଦର ଜଙ୍ଗଲରେ ପୁଲିସ କରିଥିବା ଏନକାଉଣ୍ଟର ବିବାଦ ଘେରକୁ ଆସିଛି । ପୁଲିସ କାହିଁକି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।