ମୁମ୍ବାଇରେ ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ : ଓଡ଼ିଶାରେ ନିବେଶ କରିବା ପାଇଁ ନିବେଶକଙ୍କୁ କରିବେ ଆମନ୍ତ୍ରଣ

69

କନକ ବ୍ୟୁରୋ : ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ମୁମ୍ବାଇରେ ନିବେଶକ ସମ୍ମିଳନୀ ହେବ । ଏଥିରେ ଯୋଗଦେବାକୁ ଥିବା ଦେଶର ପ୍ରତିଷ୍ଠିତ ଶିଳ୍ପପତିଙ୍କ ସହ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିବେଶକଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିବେ । ଏହାସହ ବିଶିଷ୍ଟ ଶିଳ୍ପପତିଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୁମ୍ବାଇରେ ପହଂଚିଥିଲେ ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ୧୫ରୁ ଅଧିକ ଶିଳ୍ପସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଆଇଏମପି ପାୱାର, ଥାଇସେନକ୍ରୁପ ଇଣ୍ଡିଆ, କ୍ରିସିଲ, ରୋକେମ ସେପାରେସନ ସିଷ୍ଟମ ଓ ନାଲକୋ ଭଳି ସଂସ୍ଥା ଏହି ସମ୍ମିଳନୀରେ ଭାଗ ନେବେ । ଏହି ସଂସ୍ଥାମାନେ ମଧ୍ୟ ଓଡ଼ିଶାରେ ପୁଞ୍ଜିନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବ ‘ମେକ ଇନ୍ ଓଡ଼ିଶା’ କନକ୍ଲେଭ । ବୃହତ କମ୍ପାନୀମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଆଜି ମୁମ୍ବାଇରେ ଓଡ଼ିଶା ନିବେଶକ ସମ୍ମିଳନୀ ଆୟୋଜନ କରାଯାଉଛି ।

ଏହି ସମ୍ମିଳନୀରେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ବେଦାନ୍ତ ରିସୋର୍ସ ଚେୟାରମ୍ୟାନ ଅନୀଲ ଅଗ୍ରୱାଲ ଓ ନିଲକମଲ ଲିମିଟେଡର ଏମଡି ହିତେନ ପାରେଖଙ୍କ ଭଳି ବଡ଼ ବଡ଼ ଶିଳ୍ପପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ମୁଖ୍ୟମନ୍ତ୍ରୀ କିଛି ବିଶିଷ୍ଟ ବ୍ୟାଙ୍କର୍ସଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।