ବେଗୁସରାଇରେ ଖୁଲମଖୁଲା ଆତଙ୍କରାଜ : ଜାତୀୟ ରାଜପଥରେ ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ୨ ବାଇକ ଆରୋହୀ

106

କନକ ବ୍ୟୁରୋ : ବିହାରର ବେଗୁସରାଇରେ ଦୁଇଜଣ ବାଇକ ଆରୋହୀଙ୍କ ଉନ୍ମତକାଣ୍ଡ । ଦୁଇ ଦୁର୍ବୃତ୍ତ ରାସ୍ତା ଉପରେ ଚାଲୁଥିବା ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ଆତଙ୍କ ଖେଳାଇଛନ୍ତି । ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି । ସମସ୍ତ ଆଘାତପ୍ରାପ୍ତଙ୍କ ଚିକିତ୍ସା ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପୂରା ଜିଲ୍ଲାରେ ଘେରାବନ୍ଦୀ କରିଛି ।

ସ୍ଥାନୀୟ ପୋଲିସ୍ ଏସପିଙ୍କ କହିବା ଅନୁସାରେ, ଦୁଇ ଦୁର୍ବୃତ୍ତ ଜାତୀୟ ରାଜପଥ ୩୧ ଓ ୨୮ରେ ପ୍ରାୟ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ତେଘରା ଉପଖଣ୍ଡର ୨୮ ନମ୍ବର ଜାତୀୟ ରାଜପଥର ୩ଟି ସ୍ଥାନରେ ଗୁଳିମାଡ଼ ହୋଇଛି । ଦୁର୍ବୃତମାନେ ଗୋଟିଏ ପରେ ଗୋଟିଏ କରି ପ୍ରାୟ ୪ଟି ଘଟଣା ଘଟାଇଛନ୍ତି । ୨୮ ନମ୍ବର ଜାତୀୟ ରାଜପଥରେ ଚନ୍ଦନ କୁମାର ନାମକ ଜଣେ ଯୁବକଙ୍କ ଏହି ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି । ଘଟଣା ପରେ ବିହାରକୁ ଜଙ୍ଗଲରାଜ ଫେରିଥିବା କହି ନୀତୀଶ ସରକାରକୁ ଫେରିଛି ବିଜେପି ।

ବିଜେପି ରାଜ୍ୟସଭା ସାଂସଦ ଓ ବରିଷ୍ଠ ନେତା ସୁଶୀଲ ମୋଦୀ କହିଛନ୍ତି, ବିହାର ଇତିହାସରେ ପ୍ରଥମଥର ପାଇଁ ଏଭଳି ଘଟଣା ଘଟିଛି । ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଟ୍ୱିଟ୍ କରି ଲେଖିଛନ୍ତି, ବିଚ୍ ରାସ୍ତାରେ ୧୦ ଜଣଙ୍କ ଉପରକୁ ଗୁଳିମାଡ଼ କରାଯାଉଛି । ଏହା ଦର୍ଶାଉଛି ଯେ ରାଜ୍ୟର ଆଇନ ବ୍ୟବସ୍ଥା କିପରି ଅଛି । ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ବିହାର ସରକାର ଉପରେ ବର୍ଷିଛନ୍ତି ।