ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ : ସର୍ଭିସ ପିରିୟଡ ବଢ଼ାଇବା ପାଇଁ କେନ୍ଦ୍ର ସରକାର ଦେଲେ ଅନୁମତି

ଫେବ୍ରୁଆରୀ ୨୮ରେ ସରୁଥିଲା କାର୍ଯ୍ୟକାଳ

160

କନକ ବ୍ୟୁରୋ : ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ସର୍ଭିସ ପିରିୟଡ ବଢ଼ାଇବା ପାଇଁ କେନ୍ଦ୍ର ସରକାର ଦେଲେ ଅନୁମତି । ୬ ମାସ ପର୍ଯ୍ୟନ୍ତ ବଢ଼ିବ ଅବଧି । ଫେବ୍ରୁଆରୀ ୨୮ରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା । ତାଙ୍କର କାର୍ଯ୍ୟକାଳ ବଢ଼ାଇବା ପାଇଁ ରାଜ୍ୟ ସରକାର ଡିସେମ୍ବର ୩୧ ତାରିଖରେ କେନ୍ଦ୍ରକୁ ଚିଠି ଲେଖିଥିଲେ । କେନ୍ଦ୍ର ସରକାରଙ୍କ ଅନୁମତି ପରେ ଫେବ୍ରୁଆରୀ ୨୮ ତାରିଖ ପରେ ଆଉ ୬ ମାସ ବୃଦ୍ଧି ପାଇଛି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । କରୋନା ମୁକାବିଲା ଏବଂ ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇବା ବିଶେଷ ଗୁରୁତ୍ୱ ରଖୁଛି ।

୧୯୮୬ ବ୍ୟାଚ୍‌ର ଆଇଏଏସ୍ ଶ୍ରୀ ମହାପାତ୍ର ୨୦୨୧ ଜାନୁଆରି ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଆସନ୍ତା ଫେବ୍ରୁଆରି ୨୮ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଥା’ନ୍ତେ । ଏହି ସମ୍ପ୍ରସାରଣ ଫଳରେ ସେ ଅଗଷ୍ଟ ୩୧ ତାରିଖ ଯାଏ ମୁଖ୍ୟ ସଚିବ ଭାବେ ରହିବା‌ ସ୍ପଷ୍ଟ ହୋଇଛି । ଫଳରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବ, ତାହାକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ଓ ଲବିରେ ସାମୟିକ ପୂର୍ଣ୍ଣଛେଦ ପଡ଼ିଛି ।

ଶ୍ରୀ ମହାପାତ୍ରଙ୍କ ଚାକିରି କାର୍ଯ୍ୟକାଳ ସମ୍ପ୍ରସାରଣ ହେବା ଘଟଣା କ୍ଷମତା କରିଡର୍‌ରେ ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ଏକାଧିକ ମୁଖ୍ୟ ଶାସନ ସଚିବଙ୍କ ସମୟରେ ସେମାନଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା । ସେମାନେ ତୃତୀୟ ମହଲାର ଅତି ବିଶ୍ବସ୍ତ ଥିବାରୁ ଏପରି ଆଲୋଚନା ସ୍ବାଭାବିକ ଥିଲା । କିନ୍ତୁ ରାଜ୍ୟ ସରକାର କୌଣସି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇ ନ ଥିଲେ । ତେବେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିବା ଅଧିକାଂଶ ଅଧିକାରୀଙ୍କୁ ବିଭିନ୍ନ ପଦପଦବିରେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ମହାପାତ୍ରଙ୍କ କ୍ଷେତ୍ରରେ ବ୍ୟତିକ୍ରମ ହୋଇଛି । ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ସୁପାରିସ୍‌ କରିଥିଲେ ।