ଆଜି ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି : ମହାପ୍ରଭୁଙ୍କ ହେବ ନବାଙ୍କ ବେଶ

226

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ମକର ସଂକ୍ରାନ୍ତି । ଏହା ପୂର୍ବରୁ ଶ୍ରୀଜିଉଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଛି । ବଡ଼ସିଂହାରରେ ନବାଙ୍କ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆଜି ମଙ୍ଗଳଆଳତୀ ପର୍ଯ୍ୟନ୍ତ ଏହି ବେଶରେ ସୁସଜିତ ହୋଇ ରହିବେ ମହାପ୍ରଭୁ । ଏଥର କୋଭିଡ଼ କଟକଣା ଯୋଗୁଁ ଶ୍ରୀମନ୍ଦିରକୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଫଳରେ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ । ଆଜି ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ପ୍ରସାଦ ଲାଗି ହେବାର ପରମ୍ପରା ରହିଛି । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିତୀକାନ୍ତି କରାଯିବ ।

ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ନୀତି ଥିବାରୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ମକର ମାଳ ଓ ମକର ତାଡ଼ ଶ୍ରୀମନ୍ଦିରକୁ ନିଆଯାଇଛି । ପ୍ରତିବର୍ଷ ମକର ସଂକ୍ରାନ୍ତି ପୂର୍ବଦିନ ନବାଙ୍କ ନୀତି ଅନୁଷ୍ଠିତ ହୋଇଥାଏ । ନବାଙ୍କ ଅବସରରେ ଶ୍ରୀମନ୍ଦିରରେ ଫୁଲ ମେଲାଣ ନୀତି ଅନୁଷ୍ଠିତ ହୋଇଥିଲା । ବଡ଼ଓଡ଼ିଆ ମଠରେ ତିନି ଠାକୁରଙ୍କ ପାଇଁ ସ୍ବତନ୍ତ୍ର ଭାବେ ଫୁଲ, ତୁଳସୀ ଆଦିରେ ପ୍ରସ୍ତୁତ ତିନୋଟି ବଡ଼ ମାଳକୁ ଶ୍ରୀମନ୍ଦିର ନିଆଯାଇଥିଲା । ମାଳିମାନେ ବାଘମୁହାଁ ବାନ୍ଧି ମାଳ, ଚୁଳ, ଜଳକବରମାନ ଘେନି ପଟୁଆରରେ ଘଣ୍ଟ, ଛତା, କାହାଳି ଆଦି ସହ ବଡ଼ଦେଉଳକୁ ଯାଇଥିଲେ । ବଡ଼ଦେଉଳ ବେଢ଼ା ପ୍ରଦକ୍ଷଣ କରି ବେହରଣ ଦ୍ବାରଠାରେ ମହାପ୍ରଭୁଙ୍କ ବେଶ ପାଇଁ ପାଳିଆ ଖୁଣ୍ଟିଆଙ୍କୁ ମାଳ, ଚୁଳ ଆଦି ଦେଇଥିଲେ । ସଂଧ୍ୟା ଆଳତି ବେଶରେ ଏହି ମାଳ ତିନି ଠାକୁରଙ୍କୁ ଲାଗି ହୋଇଥିଲା ।