ଟୋକିଓରେ ଆଜି ଓଡ଼ିଶା ବିଜନେସ୍ ମିଟ୍ : ସମ୍ମିଳନୀକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ; ୨୦୦ ଶିଳ୍ପପତିଙ୍କୁ ଭେଟିବେ ନବୀନ

126

କନକ ବ୍ୟୁରୋ : ଜାପାନ ଟୋକିଓରେ ଆଜି ଓଡ଼ିଶା ବିଜନେସ୍ ମିଟ୍ । ପ୍ରାୟ ୨୦୦ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମ୍ମିଳନୀକୁ ନିଜେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ଜାପାନର ବଡ ବଡ ଉଦ୍ୟୋଗୀ ଓ ପୁଞ୍ଜିପତିଙ୍କୁ ସିଧାସଳଖ ଭେଟିବା ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରିବେ । ରାଜ୍ୟରେ ସର୍ବବୃହତ ଅତ୍ୟାଧୁନିକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ୩୦ ନିୟୁତ ଟନର ଏହି ମେଗା ଗ୍ରୀନ୍ ଫିଲ୍ଡ ଗଢିବ ଜାପାନ ଷ୍ଟିଲ । ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବେଳେ ନିପନ ଷ୍ଟିଲ କର୍ପୋରେସନର ସଭାପତି  ଏନେଇ ଘୋଷଣା କରିଛନ୍ତି । ପ୍ରସ୍ତାବିତ ପ୍ରକଳ୍ପରେ ୧ ଲକ୍ଷ କୋଟି ଟଙ୍କା ନିବେଶ ହେବ ବୋଲି ଅନୁମାନ କରାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ ଆର୍ସେଲର ମିତ୍ତଲ ସହିତ ଯୌଥ ଉଦ୍ୟୋଗରେ ସ୍ଥାପନ ହୋଇଥିବା ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ବାର୍ଷିକ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି । ଜଗତସିଂହପୁରେ କଂପାନିର ୭ ଏମ୍‌ଟିପିଏ ଇସ୍ପାତ କାରଖାନା ପ୍ରକଳ୍ପକୁ ନିକଟରେ ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି । ସେଥିରେ ୩୮ ହଜାର କୋଟି ଟଙ୍କା ନିବେଶ ହେବ ।

ଏବେ ଏଏମ୍‌ଏନ୍‌ଏସ୍‌ର ପାରାଦୀପରେ ୧୨ ଏମ୍‌ଟିପିଏର ପେଲେଟ୍‌ କାରଖାନା ଥିବା ବେଳେ କେନ୍ଦୁଝରରେ ୮ ଏମ୍‌ଟିପିଏର ବେନିଫିକେସନ କାରଖାନା ଏବଂ କେନ୍ଦୁଝରରୁ ପାରାଦୀପ ପର୍ଯ୍ୟନ୍ତ ୨୫୦ କିମିର ସ୍ଲରି ପାଇପ୍‌ଲାଇନ୍ ରହିଛି । କଳିଙ୍ଗ ଷ୍ଟାଡିୟମ୍‌ରେ ଏକ ହାଇ ପରଫରମାନ୍ସ ଜିଗ୍ନାଷ୍ଟିକ୍ ସେଣ୍ଟର ‌ସ୍ଥାପନ କରିବା ଲାଗି ଖୁବ୍‌ଶୀଘ୍ର ଏଏମ୍‌ଏନ୍‌ଏସ୍‌ ସହ ରାଜ୍ୟ ସରକାର ବୁଝାମଣାପତ୍ର ସ୍ବାକ୍ଷର କରିବାକୁ ଯାଉଛନ୍ତି । ଜାପାନ ଗସ୍ତରେ ଯାଇଥିବା ଓଡ଼ିଶା ପ୍ରତିନିଧି ଦଳ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଓ ଜେଏଫ୍‌ଇ କର୍ପୋରେସନ୍‌ ସହ ସମ୍ଭାବ୍ୟ ସହଯୋଗିତା ବିଷୟରେ ଆଲୋଚନା କରିଛନ୍ତି ।