ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ : କିଏ ହେବେ ବିଧାନସଭା ବାଚସ୍ପତି ? ଚର୍ଚ୍ଚାରେ ୪ଜଣ ବରିଷ୍ଠ ବିଜେଡି ନେତାଙ୍କ ନାଁ

490

କନକ ବ୍ୟୁରୋ : ସେପ୍ଟେମ୍ବର ୨୨ ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ସେଥିପାଇଁ ୧୮ରେ ନାମାଙ୍କନ ଦାଖଲ ହେବ । ବାଚସ୍ପତି ଦୌଡରେ ଦେବୀ ମିଶ୍ର, ପ୍ରଫୁଲ ସାମଲ, ଅମର ଶତପଥୀ, ନୃସିଂହ ସାହୁ ଅଛନ୍ତି । ସେମାନଙ୍କ ମଧ୍ୟରୁ କାହାକୁ ବିଜେଡି ବାଚସ୍ପତି କରିବ ତାକୁ ନେଇ ଏବେ ସ୍ପଷ୍ଟ ହୋଇ ପାରିନାହିଁ । ବାଚସ୍ପତି ନିର୍ବାଚନ ପରେ ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଆସନ୍ତା ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଅକ୍ଟୋବର ୩ ତାରିଖରେ ଅତିରିକ୍ତ ବଜେଟ ଆସିବ ବୋଲି ସୂଚନା ରହିଛି । ନିର୍ବାଚନ ଆଗକୁ ରହିଥିବାରୁ ଅତିରିକ୍ତ ବଜେଟରେ ବିଜେଡି ବଡ଼ ଘୋଷଣା କରିପାରେ ବୋଲି କୁହାଯାଉଛି । ଏହି ଅଧିବେଶନରେ ବିଜେଡି ଏବଂ ବିଜେପିକୁ ଘେରିବାକୁ ଯୋଜନା କରିଛି କଂଗ୍ରେସ । ବିଜେଡି-ବିଜେପି ଏକ ବୋଲି ପ୍ରମାଣିତ କରାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ତେବେ ବଜେଟ ଆସଲେ ଆଗୁଆ ନିର୍ବାଚନ ହେବ କି ନାହିଁ ସେନେଇ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ସେପଟେ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ବିଜେପି କହିଛି ।

ଗତ ମେ ମାସରେ ସମସ୍ତଙ୍କୁ ଚକିତ କରି ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବିକ୍ରମ କେଶରୀ ଆରୁଖ । ଗଞ୍ଜାମ ଜିଲ୍ଲା ଭଂଜନଗରରୁ ୫ଥର ବିଧାୟକ ହୋଇଥିବା ବିକ୍ରମ ଆରୁଖ ନିଜ ଇସ୍ତଫାକୁ ନେଇ କହିଥିଲେ ଯେ ସେ ବ୍ୟକ୍ତିଗତ କାରଣ ପାଇଁ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ମାତ୍ର ବର୍ଷକ ପାଇଁ ଏହି ପଦରେ ରହିବା ପରେ ସେ ନିଜର ଇସ୍ତଫା ପତ୍ର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପାଖକୁ ପଠାଇଥିଲେ । ସେବେଠୁ ବାଚସ୍ପତି ପଦ ଖାଲି ପଡିଛି ।