ବିହାର ବକ୍ସରରେ ବଡ଼ ରେଳ ଦୁର୍ଘଟଣା । ଟ୍ରାକରୁ ଖସିଲା ୨୧ବଗି, ବଢ଼ୁଛି ମୃତ୍ୟୁ ସଂଖ୍ୟା

239

କନକ ବ୍ୟୁରୋ : ବୁଧବାର ବିହାରର ବକ୍ସର ଦେଖିଛି ବଡ ରେଳ ଦୁର୍ଘଟଣା । ଶହ ଶହ ଯାତ୍ରୀଙ୍କୁ ନେଇ ଦିଲ୍ଲୀର ଆନନ୍ଦ ବିହାରରୁ ଗୌହାଟି କାମାକ୍ଷନଗର ଯାଉଥିଲା ନର୍ଥ ଇଷ୍ଟ ଏକ୍ସପ୍ରେସ । ମଝି ରାସ୍ତାରେ ହଠାତ ଟ୍ରେନର ୨୧ଟି ବଗି ଲାଇନଚ୍ୟୁତ ହେଲା ଓ ବଡ ଦୁର୍ଘଟଣାର ଶିକାର ହୋଇଥିଲା । ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଁଚିବା ପାଇଁ ଯେଉଁ ଯାତ୍ରୀ ହସଖୁସିରେ ଯାତ୍ରା ଆରମ୍ଭ କରିଥିଲେ ସେମାନେ ହୁଏତ ଅଜଣା ଥିବେ ଯେ ଏଭଳି କିଛି ଦୁର୍ଘଟଣା ତାଙ୍କୁ ଅପେକ୍ଷା କରିଛି । ଟିକେ ନଜର ପକାନ୍ତୁ ଦୁର୍ଘଟଣାସ୍ଥଳ ଉପରେ । । ଘଟଣାସ୍ଥଳରେ ଯେଉଁଠି ନଜର ପଡୁଛି ସେଠି କେବଳ ଦୁର୍ଘଟଣାଗସ୍ତ ବଗି ପଡିଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟଦେଖିଲେ ବାହାନଗା ରେଳଦୁର୍ଘଟଣା କଥା ପୁଣି ମନେପଡିବା ସହ ମନକୁ ଆନ୍ଦୋଳିତ କରିପକାଉଛି ।

ରେଳ ଦୁର୍ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଦେଶରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି । ଭାରତୀୟ ରେଳ ବିଭାଗ ଓ କେନ୍ଦ୍ର ସରକାର ଏହାକୁ ରୋକିବା ପାଇଁ ଅଧିକ ଯତ୍ନବାନ ହେବା ଦରକାର । ସେପଟେ ନୀତୀଶଙ୍କୁ ପରାମର୍ଶ ଦେବାର କୌଣସି ଆବଶ୍ୟକତା ନାହିଁ କହି ପାଲଟା ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ।

ନର୍ଥ ଇଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ଡିଡିୟୁ-ପାଟନା ରେଳପଥରେ ଯାତାୟତ ପ୍ରଭାବିତ ହୋଇଛି, ଏକାଧିକ ଟ୍ରେନର ରୁଟ ବଦଳିଛି । ଟ୍ରେନ୍ ଦୁର୍ଘଟଣାରେ ଉଦ୍ଧାର କାମ ଶେଷ ହୋଇଥିବା ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ । କିପରି ହେଲା ଏତେ ବଡ଼ ଦୁର୍ଘଟଣା ସେନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଓ ଶତାଧିକ ଲୋକ ଆହତ ହୋଇଛନ୍ତି । ୩୦ରୁ ଅଧିକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଛି । ଲାଇନଚ୍ୟୁ ହୋଇଥିବା ଟ୍ରେନ ୨୧ଟି କୋଚ ମଧ୍ୟରେ ୨ଟି ଏସି କୋଚ ରହିଥିଲା । ବାରମ୍ବାର ଏଭଳି ଦୁର୍ଘଟଣାକୁ ନେଇ ଉଠୁଛି ପ୍ରଶ୍ନ ।