ଇଂରାଜୀ ହେଉକି ହିନ୍ଦୀ, ଓଡିଶାର ପିଲା ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଆଗରେ

141

କନକ ବ୍ୟୁରୋ: ସବୁ ବାପାମାଆ ଚାହାନ୍ତି ମୋ ପିଲା ଚାଲାକ ହେଉ, ବୁଦ୍ଧିଆ ହେଉ ଭଲଟିକେ ହିନ୍ଦୀ, ଇଂରାଜୀ କହିପାରୁ । କେବଳ ସହରରେ ନୁହେଁ ଗାଁ ଗାଁରେ ପ୍ରତି ବାପା ମାଆଙ୍କ ଏହା ଇଚ୍ଛା । ସେଇଥିପାଇଁ ସେମାନଙ୍କୁ ପିଲା ବେଳୁ ଭଲ ଟ୍ୟୁସନ ଆଉ ବହି ପଢିବାକୁ କୁହାଯାଏ । ସମୟ ଥିଲା କେବଳ ଘରୋଇ ସ୍କୁଲରେ ପଢୁଥିବା ପିଲାଙ୍କର ହିନ୍ଦୀ, ଇଂରାଜୀ କହିବାର ଦକ୍ଷତା ଭଲ ଥିଲା । କିନ୍ତୁ ଏବେ ସମୟ ବଦଳିଛି ସରକାରୀ ସ୍କୁଲର ପିଲାଟିଏ ହେଉ କିମ୍ବା ଗାଁରେ ରହୁଥିବା ଛାତ୍ରଛାତ୍ରୀ ହିନ୍ଦୀ, ଇଂରାଜୀ କହିବାରେ ମାହିର ହେଲେଣି ।

ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ(ଏନସିଆରଟି) ଦ୍ୱାରା ଜାରି ହୋଇଥିବା ଫାଉଣ୍ଡେସନାଲ ଲର୍ଣ୍ଣିଂ ଷ୍ଟଡି-୨୦୨୨ର ରିପୋର୍ଟ ଖୁସି କରିଦେଇଛି । ଏଥିରେ ଜଣାପଡିଛି ଯେ, ଓଡିଶାର ପିଲା ହିନ୍ଦୀ, ଇଂରାଜୀ କହିବାରେ ଆଗୁଆ । ରାଜ୍ୟର ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ସାରା ଦେଶର ନିଜର ସମକକ୍ଷ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ତୁଳନାରେ ବହୁ ଆଗରେ ରହିଛନ୍ତି । ଉଭୟ ଭାଷା କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି।

ଓଡିଶା ସହ ସାରା ଦେଶର ଏହି ଅଧ୍ୟୟନ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ସାକ୍ଷାତକାର ନିଆଯାଇଥିଲା । ସରକାରୀ, ବେସରକାରୀ, ସରକାରୀ ସହାୟତା ପ୍ରାପ୍ତ, କେନ୍ଦ୍ରୀୟ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯାଇଥିଲା । ତୃତୀୟ ଶ୍ରେଣୀର ୩୦୮୬ ଛାତ୍ର, ୬୦୫ ଶିକ୍ଷକଙ୍କର ମାର୍ଚ୍ଚ ମାସରେ ସାକ୍ଷାତକାର କରାଯାଇଥିଲା । ସେମାନଙ୍କର ଇଂରାଜୀ, ଓଡିଆ, ଉର୍ଦ୍ଧୁର ଶିଖିବାର ମୂଳସ୍ତରର ଆକଳନ କରାଯାଇଥିଲା ।

ଏଥିରେ ଯେଉଁ ଫଳ ବାହାରିଥିଲା ତାହା ସମସ୍ତଙ୍କୁ ଖୁସି କରିଥିଲା । ୯୨ ପ୍ରତିଶତ ଛାତ୍ରଛାତ୍ରୀ ଇଂରାଜୀ ବାକ୍ୟକୁ ଶୁଣି ବୁଝିପାରିଥାନ୍ତି । ଦେଶରେ ଏହାର ହାର ୮୫ ପ୍ରତିଶତ ତୁଳନାରେ ଓଡିଶା ଯଥେଷ୍ଟ ଆଗରେ ରହିଛି । ସେହିଭଳି ୯୭ ପ୍ରତିଶତ ଛାତ୍ରଛାତ୍ରୀ ଇଂରାଜୀ ଶବ୍ଦର ପ୍ରଥମ ଏବଂ ଶେଷ ଧ୍ୱନିକୁ ଚିହ୍ନିପାରୁଛନ୍ତି । ରାଷ୍ଟ୍ରୀୟସ୍ତରରେ ଏହାର ହାର ୯୫ ପ୍ରତିଶତ ରହିଛି । ୯୪ ପ୍ରତିଶତ ଛାତ୍ରଛାତ୍ରୀ ଇଂରାଜୀ ଶବ୍ଦ ସଠିକ ଭାବେ ଉଚ୍ଚା ରଣ କରିବା ସହ ପ୍ରାଞ୍ଜଳ ଭାବେ କହିପାରୁଛନ୍ତି । ଜାତୀୟ ସ୍ତରରେ ଏହାର ହାର ୯୫ ଏବଂ ୭୩ ପ୍ରତିଶତ ରହିଛି । ଅନ୍ୟପଟେ ଯଦି ଦେଖିବା ୯୫ ପ୍ରତିଶତ ଛାତ୍ରଛାତ୍ରୀ ଅଲଗା ଅଲଗା ଇଂରାଜୀ ବାକ୍ୟର ଅର୍ଥ ମଧ୍ୟ ବୁଝିପାରିଛନ୍ତିା

ଏହି ସର୍ବକ୍ଷେଣରେ ଜଣାପଡିଛି ଯେ, କେବଳ ୬ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ମୌଳିକ ଦକ୍ଷତାର ମାନ ନାହିଁ । ସେହିଭଳି ୧୫ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ କମ ଦକ୍ଷତା ରହିଛି । ୧୪ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ପର୍ଯ୍ୟାପ୍ତ ଦକ୍ଷତା ରହିଛି । ୬୫ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ଇଂରାଜୀର ଉନ୍ନତ ଦକ୍ଷତା ରହିଛି ।

ହିନ୍ଦୀରେ ମଧ୍ୟ ଏହିଭଳି ସ୍ଥିତି ରହିଛି । ୯୯ ପ୍ରତିଶତ ଛାତ୍ରଛାତ୍ରୀ ଶୁଣିବାପରେ ହିନ୍ଦୀ ବୁଝିପାରୁଛନ୍ତି । ଜାତୀୟସ୍ତରରେ ଏହାର ହାର ୮୫ ପ୍ରତିଶତ ରହିଛି । ୯୩ ପ୍ରତିଶତ ଛାତ୍ରଛାତ୍ରୀ ଓଡିଶାରେ ହିନ୍ଦୀ ପଢିପାରନ୍ତି । ଜାତୀୟସ୍ତରରେ ଏହାର ସ୍ତର ୮୭ ପ୍ରତିଶତ । ସେହଭଳି ୪୩ ପ୍ରତିଶତ ଛାତ୍ରଛାତ୍ରୀ ଗୋଟିଏ ମିନିଟରେ ହିନ୍ଦୀ ବୁଝିବା ସହ ଶବ୍ଦକୁ ଠିକ ଭାବେ ପଢିପାରିଥାନ୍ତି । ଯେତେବେଳେ କି ଦେଶରେ ଏହାର ହାର ୨୩ ପ୍ରତିଶତ ରହିଛି।

ସାକ୍ଷାତକାରରେ ସାମିଲ ୫୦ ପ୍ରତିଶତ ଛାତ୍ରଛାତ୍ରୀ ୯,୯୯୯ ଯାଏ ସଂଖ୍ୟା ପଢିପାରୁଥିଲେ । ୫୫ ପ୍ରତିଶତ ବଡ ସଂଖ୍ୟାକୁ ଚିହ୍ନିବା ପାଇଁ ସଂଖ୍ୟାଗୁଡିକୁ ଯୋଡିବା ସହ ତୁଳନା କରିପାରୁଥିଲେ । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ତାମିଲନାଡୁ, ଜାମ୍ମୁକାଶ୍ମୀର, ଆସାମ, ଗୁଜୁରାଟ ଏବଂ ଛତିଶଗଡ ଭଳି ରାଜ୍ୟ ତୁଳନାରେ ଓଡିଶାର ଛାତ୍ରମାନେ ଭଲ ପ୍ରଦର୍ଶନ କରୁଛନ୍ତି ।