ଭାରତ ଫେରିବା ବ୍ୟତୀତ ନୀରବ ମୋଦୀଙ୍କ ପାଖରେ ଆଉ କିଛି ନାହିଁ ବିକଳ୍ପ । ପ୍ରତ୍ୟାର୍ପଣ ବିରୋଧୀ ଆବେଦନକୁ ଲଣ୍ଡନ ସୁପ୍ରିମକୋର୍ଟ କଲେ ଖାରଜ

131

କନକ ବ୍ୟୁରୋ : ପଳାତକ ନୀରବ ମୋଦୀ ଏବେ ଭାରତ ଫେରିବାକୁ ବାଧ୍ୟ ହେବେ । କାରଣ ଭାରତ ନଫେରିବା ନେଇ ସେ ଲଣ୍ଡନ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଏବେ ତାଙ୍କ ପାଖରେ ଆଇନଗତ ଭାବେ ଅନ୍ୟ କିଛି ବିକଳ୍ପ ନଥିବାରୁ ସେ ଭାରତ ଫେରିବା ପ୍ରାୟ ତ ନିଶ୍ଚିତ ହୋଇଛି । ହେଲେ କୁହାଯାଉଛି କି ତାଙ୍କ ପାଖରେ ଏବେ ଗୋଟିଏ ମାତ୍ର ଆଇନଗତ ବିକଳ୍ପ ରହିଛି । କୁହାଯାଉଛି କି, ସେ ୟୁରୋପର ମାନବାଧିକାର କୋର୍ଟରେ ଭାରତ ନଫେରିବା ନେଇ ଆବେଦନ କରିପାରନ୍ତି । ହେଲେ ଏହି ବିକଳ୍ପ ତାଙ୍କ ପାଇଁ ସେତେଟା ଲାଭଦାୟକ ହେବ ନାହିଁ ବୋଲି ଆଇନ ବିଶାରଦମାନେ ମତ ଦେଇଛନ୍ତି ।

ଗତ ସପ୍ତାହରେ ଭାରତ ସରକାରଙ୍କ ତରଫରୁ ବ୍ରିଟିସ ସୁପ୍ରିମକୋର୍ଟରେ ନୀରବ ମୋଦୀ ପ୍ରତ୍ୟାର୍ପଣ ବିରୋଧରେ କରିଥିବା ଆବେଦନକୁ ଖାରଜ କରିବାକୁ ଅନୁରୋଧ କରିଥିଲେ । ବ୍ରିଟେନ କୋର୍ଟରେ ଭାରତ ସରକାରଙ୍କ ତରଫରୁ ଆଇନଗତ ଲଢେଇ ଲଢୁଥିବା କ୍ରାଉନ ପ୍ରସିକ୍ୟୁସନ ସର୍ଭିସ ଅଦାଲତରେ ନୀରବ ମୋଦୀଙ୍କ ବିରୋଧରେ ଜବାବ ଦାଖଲ କରିଥିଲେ ।

ଏହା ପୂର୍ବରୁ ବ୍ରିଟେନ ହାଇକୋର୍ଟ ବି ନୀରବ ମୋଦୀଙ୍କ ପ୍ରତ୍ୟାର୍ପଣ ବିରୋଧୀ ଆବେଦନକୁ ଖାରଜ କରି କହିଥିଲେ କି, କାହାର ଆଚାର ବ୍ୟବହାର ଦେଖି ପ୍ରତ୍ୟାର୍ପଣ ବିରୋଧରେ ନିର୍ଣ୍ଣୟ ନିଆଯାଇପାରିବ ନାହିଁ । ଏହାପରେ ନୀରବ ମୋଦୀ ବ୍ରିଟେନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ହେଲେ ଏବେ ସୁପ୍ରିମକୋର୍ଟ ବି ତାଙ୍କ ଆବେଦନକୁ ଖାରଜ କରିବା ପରେ ଭାରତ ଫେରିବାକୁ ବାଧ୍ୟ ହୋଇପାରନ୍ତି ଏହି ପଳାତକ ନୀରବ ମୋଦୀ ।

ସୂଚନା ଥାଉକି ଭାରତରେ ହୀରା ବ୍ୟବସାୟ କରୁଥିବା ନୀରବ ମୋଦୀ ଦେଶର ବିଭିନ୍ନ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାରୁ ଅଧିକ ଋଣ ନେଇ ଫେରାର ହୋଇଯାଇଛନ୍ତି । ଏଥି ମଧ୍ୟରୁ କେବଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୧ ହଜାର କୋଟି ଟଙ୍କାରୁ ଅଧିକ ଋଣ ନେଇଛନ୍ତି ।