ରାତି ପାହିଲେ ବଦଳିଯିବ କ୍ୟାଲେଣ୍ଡର ପୃଷ୍ଠା । ନୂଆବର୍ଷ ସେଲିବ୍ରେସନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି, ନୂଆବର୍ଷକୁ ସ୍ୱାଗତ କରିବାକୁ ଜୋରଦାର ପ୍ରସ୍ତୁତି

129

କନକ ବ୍ୟୁରୋ : ନୂଆ ବର୍ଷ ଆଗମନ ପାଇଁ ସାରା ବିଶ୍ୱ ଉତ୍ସବମୁଖର । ଏହାରି ଭିତରେ ନୂଆ ବର୍ଷରେ ପାଦ ଦେଇଛି ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ । ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡରେ ପ୍ରଥମ ନୂଆ ବର୍ଷ ପାଳନ କରାଯାଇଛି । ଆତସବାଜି ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ଭାରତୀୟ ସମୟ ଅନୁସାରେ, ଅପରାହ୍ଣ ସାଢ଼େ ୪ଟା ବେଳେ ନ୍ୟୁଜିଲ୍ୟାଣ୍ଡରେ ନୂଆ ବର୍ଷ ଆରମ୍ଭ ହୋଇଛି । ଏହା ପରେ ପଡ଼ୋଶୀ ଦେଶ ଅଷ୍ଟ୍ରେଲିଆର ସିଡ୍ନୀରେ ନୂଆ ବର୍ଷକୁ ଧୁମଧାମରେ ପାଳନ କରାଯାଇଛି । ଅଷ୍ଟ୍ରେଲିଆରେ ଭାରତୀୟ ସମୟ ଅନୁସାରେ, ସନ୍ଧ୍ୟା ସାଢ଼େ ୬ଟା ବେଳେ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି । ସେପଟେ ଭାରତରେ ମଧ୍ୟ ନୂଆ ବର୍ଷକୁ ସ୍ୱାଗତ ପାଇଁ କାଉଂଟଡାଉନ୍ ଆରମ୍ଭ ହୋଇଯାଇଛି । କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ନୂଆ ବର୍ଷର ଆଗମନ ପାଇଁ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ସେହିପରି ୨୦୨୩ର ଶେଷ ଦିନକୁ ସ୍ମରଣୀୟ କରିବା ପାଇଁ ଓଡ଼ିଶାରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ବର୍ଷର ଶେଷ ଦିନରେ ବିଭିନ୍ନ ସ୍ଥାନରେ ଜମୁଛି ପିକନିକ । ବଣଭୋଜିରେ ସବୁ ମସଗୁଲ୍ ହୋଇଛନ୍ତି । ନିଜ ସଂପର୍କୀୟ ଏବଂ ସାଙ୍ଗସାଥୀଙ୍କ ସହିତ କିଛି ଖୁସିର ମୂହୂର୍ତ ବିତାଇବା ପାଇଁ ବିଭିନ୍ନ ପିକନିକ୍ ସ୍ପଟରେ ଲାଗିଛି ଭିଡ । କିଏ ପରିବାର ସହ ଅନ୍ୟ କିଏ ବନ୍ଧୁ ସହ ବର୍ଷ ଶେଷର ମଜା ନେଉଛନ୍ତି । ବଣଭୋଜି ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଉଛନ୍ତି ।