ଜାନୁଆରୀ ପରେ ପ୍ରଥମ ଥର ପାଇଁ ଖସିଲା ଅଶୋଧିତ ତୈଳ : କମିପାରେ ପେଟ୍ରୋଲ, ଡିଜେଲ ଦାମ୍

266

କନକ ବ୍ୟୁରୋ : ମହଙ୍ଗା ମାଡ଼ରେ କଲବଲ ହେଉଥିବା ଖାଉଟିକୁ ମିଳିପାରେ ଆଶ୍ୱସ୍ତି । ଅନ୍ତର୍ଜାତୀୟ ବଜାରରେ ହ୍ରାସ ପାଇଲା ଅଶୋଧିତ ତେଲ ଦାମ୍ । ଗତ ୭ ମାସର ସର୍ବନିମ୍ନ ତଳକୁ ଖସିଛି ଦର । ବ୍ୟାରେଲ ପିଛା ବ୍ରେଂଟ କ୍ରୁଡ୍ ଦାମ ବର୍ତ୍ତମାନ ୯୨ ଡଲାର ରହିଛି । ଆଗକୁ ଏହା ଆହୁରି କମିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମ ୨ରୁ୩ଟଙ୍କା ପର୍ଯ୍ୟନ୍ତ କମିପାରେ ।

ଫେବ୍ରୁଆରୀରେ ବ୍ୟାରେଲ ପିଛା ଅଶୋଧିତ ତେଲ ଦର ୯୦ ଡଲାର ଥିଲା । ଯାହା ଜୁନରେ ୧୨୫ ଡଲାରରେ ପହଞ୍ଚିଥିଲା । ଆଇଆଇଏଫଏଲ- ସିକ୍ୟୁରିଟିଜର ଉପ ସଭାପତି ଅନୁଜ ଗୁପ୍ତାଙ୍କ କହିଛନ୍ତି ଆଗାମୀ ଦିନରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୫ ଡଲାରକୁ ଆସିପାରେ । ଫଳରେ ଗ୍ରାହକଙ୍କୁ ମହଙ୍ଗା ଦରରୁ ଆଶ୍ୱସ୍ତି ମିଳିପାରେ । ଗତ ମେ’ ୨୨ ତାରିଖରୁ ଆଜି ପର୍ଯ୍ୟନ୍ତ ଦେଶରେ ତେଲ ଦର ସ୍ଥିର ରହିଛି । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରେ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ । ପେଟ୍ରୋଲ ୮ଟଙ୍କା, ଡିଜେଲରେ ୬ ଟଙ୍କା ହ୍ରାସ କରିଥିଲେ । ସେବେଠୁ ଆଜି ପର୍ଯ୍ୟନ୍ତ ତେଲ ଦରରେ କୌଣସି ହ୍ରାସ କି ବୃଦ୍ଧି କରିନାହାନ୍ତି କେନ୍ଦ୍ର ସରକାର ।