ଓଲିଉଡ ପାଇଁ ଆସିବ ନୂଆ ନୀତି: ନୀତିରେ କଣ ଅଛି ତାହା ଏବେ ବି ଅସ୍ପଷ୍ଟ

70

କନକ ବ୍ୟୁରୋ: ରାଜ୍ୟରେ ଓଡିଆ ଫିଲ୍ମର ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିବାବେଳେ ରାଜ୍ୟ ସିନେମା ନୀତିକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟରେ ୨୦୧୯ରେ ନୂଆ ନୀତି ପ୍ରସ୍ତୁତ ହୋଇଥିଲା । ଏଥିରେ ଓଡିଆ ଫିଲ୍ମର ପୁନରୁଦ୍ଧାର, ସିନେ ନିର୍ମାତା ଓ କଳାକାରଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟି ଦିଆଯିବ ବୋଲି କୁହାଯାଇଥିଲା । ମାର୍ଚ୍ଚ ୨୦୨୨ ଯାଏଁ ଏହି ନୀତି ଲାଗୁ ହେବ ବୋଲି କୁହାଯାଇଥିଲା । ନୂଆ ନୀତି ଅନୁସାରେ
-୨୦୧୯ ନୀତିରେ ପ୍ରୋତ୍ସାହନ ଓ ସବସିଡି ପାଇଁ ସ୍ଥିର ହୋଇଥିଲା
-ଓଡିଶା କଳା-ସଂସ୍କୃତିକୁ ନେଇ ପ୍ରସ୍ତୁତ ସିନେମାକୁ ସବସିଡି ଦେବାକୁ କୁହାଯାଇଥିଲା
-ନିର୍ଦ୍ଦିିଷ୍ଟ ୱେବସାଇଟ ମାଧ୍ୟମରେ ଓଡିଆ ସିନେମାର ପ୍ରଚାର-ପ୍ରସାର ପାଇଁ ଅଂଟା ଭିଡିଥିଲା ଶିଳ୍ପ ବିଭାଗ
-କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଦେବାକୁ ନିଷ୍ପତ୍ତି
-ଫିଲ୍ମ ସିଟି, ମଲ୍ଟିପ୍ଲେକ୍ସ ଓ ସିନେମା ହଲ ନିର୍ମାଣ ପ୍ରତିଶ୍ରୃତି

ତେବେ ବର୍ତମାନସୁଦ୍ଧା ୨୦୧୯ର ଏହି ନୀତି କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ ଆଣିଛନ୍ତି ସିନେ ନିର୍ମାତା ଓ କଳାକାର । ୨୦୧୯ରେ ରାଜ୍ୟ ସିନେମା ନୀତି ଲାଗୁ ହୋଇନଥିବାବେଳେ ଏବେ ୨୦୨୪ରେ ନୂଆ ନୀତି ଆସିବ ବୋଲି ଚର୍ଚ୍ଚା ହେଉଛି । ଆଉ ଏହାକୁ ନେଇ ତାତିଛନ୍ତି ପ୍ରଯୋଜକ ଓ କଳାକାର । ଏପରିକି ନୂଆ ନୀତି ନେଇ କାହା ସହିତ ଆଲୋଚନା ବି ହୋଇନାହିଁ ବୋଲି ଅଭିଯୋଗ ହୋଇଛି । ତେବେ ଓଏଫଡିସି ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ କହିଛନ୍ତି

-କରୋନା ଯୋଗୁଁ ୨୦୧୯ ନୀତି କାର୍ଯ୍ୟକାରୀ ହୋଇପାରିନାହିଁ
-ତେଣୁ ପ୍ରଯୋଜକ ଏହି ନୀତିରୁ ଉପକୃତ ହୋଇପାରିଲେ ନାହିଁ
-୨୦୨୪ରେ ଆସୁଥିବା ନୂଆ ନୀତି ଯୋଗୁଁ ପ୍ରଯୋଜକ ଉପକୃତ ହେବେ

କୁହାଯାଉଛି ନିର୍ବାଚନ ପୂର୍ବରୁ ନୂଆ ସିନେମା ନୀତି ଆସିବ । କିନ୍ତୁ ପ୍ରଶ୍ନ ଉଠିଛି
-ନୂଆ ନୀତିର ରୂପରେଖ ଏ ଯାଏଁ କାହିଁକି ଚୂଡାନ୍ତ ହୋଇନାହିଁ?
-ନୀତି ବାବଦରେ କେବେ ସ୍ପଷ୍ଟ ଚିତ୍ର ଆସିବ?
– ଏ ଯାଏଁ ସିନେ ଶିଳ୍ପ ସହ ଜଡିତ ଲୋକଙ୍କ ସହ ଆଲୋଚନା ହୋଇନାହିଁ କିଭଳି?