ବିଦାନ ନେଲା ୨୦୨୨, ଆରମ୍ଭ ହୋଇଛି ନୂଆ ସକାଳ । ଓଡ଼ିଶା ସମେତ ୨୦୨୩କୁ ସ୍ୱାଗତ କଲା ସାରା ବିଶ୍ୱ, ସେଲିବ୍ରେସନରେ କମ୍ପିଲା ଗାଁଠୁ ସହର

109

କନକ ବ୍ୟୁରୋ : ଆରମ୍ଭ ହୋଇଛି ନୂଆ ସକାଳ । ନୂଆ ଆଶା ଓ ଉଦ୍ଦୀପନା ନେଇ ପାଦ ଥାପିଛି ୨୦୨୩ । ଦୁଇବର୍ଷ ଧରି କରୋନା ଭଳି ମହାମାରୀକୁ ସାମ୍ନା କରିବା ପରେ ୨୦୨୨ରେ ଜନଜୀବନ ସ୍ୱାଭାବିତ ହୋଇଥିଲା । ୨୦୨୩ ମଧ୍ୟ ଠିକ୍ ସେହିପରି ହେବା ନେଇ ଆଶା ବାନ୍ଧିଛନ୍ତି ଛୋଟଠୁ ବଡ଼ । ରାଜନୀତି ଠାରୁ ଆରମ୍ଭ କରି ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରରେ ୨୦୨୩ ହେବ ଚ୍ୟାଲେଞ୍ଜର ବର୍ଷ । ନୂଆ ବର୍ଷକୁ ସ୍ୱାଗତ ପାଇଁ ଜିରୋ ନାଇଟ୍ ସେଲିବ୍ରେସନ୍ କରାଯାଇଛି । ସାଙ୍ଗସାଥୀ, ପରିବାର ଓ ପ୍ରିୟଜନଙ୍କ ମେଳରେ ହସଖୁସି, ଭୋଜିଭାତ ଓ ନାଚଗୀରେ ବିତିଥିଲା ସମୟ । ରାଜଧାନୀ ଭୁବନେଶ୍ୱର, ଶୀକ୍ଷେତ୍ର ପୁରୀ, ରୌପ୍ୟନଗରୀ କଟକ ସମେତ ଗାଁଠୁ ସହର ଯାଏଁ ଦେଖିବାକୁ ମିଳିଥିଲା ଉତ୍ସାହ, ଉକ୍ରଣ୍ଠା ଓ ଆନନ୍ଦର ପର୍ବ । ବେଳାଭୂମି, ମନ୍ଦିର, ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥିଲା । ବିଭିନ୍ନ ହୋଟେଲ, ବାର୍, ରେଷ୍ଟୁରାଂଟରେ ଜିରୋନାଇଟ୍ ସେଲିବ୍ରେସନ୍ ପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଥିଲା । ଲେଜର ଲାଇଟ୍, ଡିଜେ ନାଇଟ୍ ସହ ସଂଗୀତ ଓ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟର ମଜା ମଧ୍ୟ ଉଠାଇଥିଲେ ଲୋକେ । ଏହାରି ଭିତରେ ସାରା ଓଡ଼ିଶା ସମେତ ସାରା ବିଶ୍ୱ ନୂଆ ବର୍ଷର ନୂଆ ସକାଳକୁ ସ୍ୱାଗତ କରିଛନ୍ତି ।

ସେପଟେ ପ୍ରଥମେ ନ୍ୟୁଜିଲାଣ୍ଡ ପାଳିଛି ନୂଆ ବର୍ଷ । ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡ ସହରରେ ବର୍ଷ ୨୦୨୩କୁ ସ୍ୱାଗତ କରାଯାଇଛି । ନୂଆବର୍ଷର ଆଗମନ ସହ ଅକଲାଣ୍ଡ ସହରରେ ଥିବା ସ୍କାଏ ଟାୱାର ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି । ସ୍ଥାନୀୟ ସମୟ ଠିକ୍ ରାତି ୧୨ଟାକୁ ହେଲା ବେଳକୁ ସମସ୍ତେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ଯେତେବେଳେ ରାତି ୧୨ଟା ହେଲା ଆତସବାଜୀ ଓ ଆଲୋକମାଳାରେ ଝଲସି ଉଠିଥିଲା ପୁରା ସହର । ସ୍କାଏ ଟାୱାର ସମେତ ନିକଟରେ ଥିବା ବ୍ରିଜ୍ ଏବଂ ବଡ ବଡ ବିଲ୍ଡିଂରୁ ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଥିଲା ରଙ୍ଗାରଙ୍ଗ ଆଲୁଅ ଭିତରେ । ନ୍ୟୁଜିଲାଣ୍ଡ ହେଉଛି ବିଶ୍ୱର ପ୍ରଥମ ଦେଶ, ଯେଉଁଠି ପ୍ରଥମେ ଆସେ ନୂଆବର୍ଷ । ଏହାପରେ ଅଷ୍ଟ୍ରେଲିଆରେ ମଧ୍ୟ ନୂଆ ବର୍ଷ ପାଳନ ଆରମ୍ଭ ହୋଇଯାଇଛି । ସିଡନୀ ସହରରେ ଲୋକେ ନୂଆବର୍ଷକୁ ସ୍ୱାଗତ କରି ଖୁସିରେ ଝୁମିଛନ୍ତି ।