ଭୟଙ୍କର ଆର୍ଥିକ ସଂକଟରେ ପଡୋଶୀ ଦେଶ ଶ୍ରୀଲଙ୍କା: କ୍ଷୀର ଲିଟର ପିଛା ଦର ୨ହଜାର ଛୁଇଁଲା, ଚାଉଳ କିଲୋ ୫ଶହ ଟଙ୍କା

506

କନକ ବ୍ୟୁରୋ: ଭୟଙ୍କର ଆର୍ଥିକ ସଂକଟ ଦେଇ ଗତି କରୁଛି ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା । ଦେଶରେ ୫ଲକ୍ଷରୁ ଅଧିକ ଲୋକେ ଦାରିଦ୍ର୍ୟତା ପାଇଁ ହନ୍ତସନ୍ତ ହେଉଛନ୍ତି । ସେପଟେ ଦେଶ ଚଳାଇବାକୁ ଶ୍ରୀଲଙ୍କା ସରକାରଙ୍କ ପାଖରେ ଅର୍ଥ ନାହିଁ । ଖାଦ୍ୟ, ପାନୀୟ, ଔଷଧ ଭଳି ଅତ୍ୟାବଶ୍ୟକିୟ ସାମଗ୍ରୀ ମଧ୍ୟ ନାଗରିକଙ୍କୁ ଯୋଗାଇବାରେ ବିଫଳ ହୋଇଛନ୍ତି ସରକାର । ଶ୍ରୀଲଙ୍କା ଇତିହାସରେ ସବୁଠାରୁ ଖରାପ ପରିସ୍ଥିତିକୁ ସାମ୍ନା କରୁଛି ରାଷ୍ଟ୍ର ।

ଉକ୍ରଟ ଆର୍ଥିକ ସମସ୍ୟା ଦେଇ ଗତି କରୁଛି ଶ୍ରୀଲଙ୍କା । ଦେଶରେ ଆର୍ଥିକ ସମସ୍ୟା ଏତେ ଖରାପ ହୋଇ ଯାଇଛି ଯେ, ଯାହା ଶ୍ରୀଲଙ୍କା ଇତିହାସରେ ବି ଦେଖିବାକୁ ମିଳି ନାହିଁ । ଆକଶଛୁଆଁ ଦର ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ପାଇଁ ଗରିବ ଓ ମଧ୍ୟବିତଙ୍କ ଅବସ୍ଥା ଅତି ଦୟନୀୟ ହୋଇ ପଡିଛି । ସେପଟେ ପେଟ୍ରୋଲ, ଡିଜେଲ୍, ରନ୍ଧନ ଗ୍ୟାସ, ଜାଳେନି ତେଲ ନେବା ପାଇଁ ଘଂଟା ଘଟା ଧରି ଲାଇନ୍ରେ ଛିଡା ହେବାକୁ ପଡୁଛି । ଏଭଳି ସଂକଟ ସମୟରେ ଭାରତ ଲଗାତାର ଭାବେ ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ଯୋଗାଇ ଦେଇ ଆସୁଛି । ଏହି ଭିତରେ ଭାରତ ବୈଦେଶିକ ମନ୍ତ୍ରୀ ଶ୍ରୀଲଙ୍କାକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଏବେ ଶ୍ରୀଲଙ୍କା ଗସ୍ତରେ ଅଛି । ସଂକଟରେ ଥିବା ଶ୍ରୀଲଙ୍କାରେ ଭିତିଭୂମି ସ୍ଥାପନ କରିବା ଲକ୍ଷ୍ୟନେଇ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ଭେଟିଛନ୍ତି । ଏହି ସମୟରେ ଶ୍ରୀଲଙ୍କାକୁ ଅତିରିକ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଏସ ଜୟଶଙ୍କର ।

ବେରୋଜଗାରି ଓ ଆର୍ଥିକ ସଂକଟ ଭିତରେ ହନ୍ତସନ୍ତ ହେଉଛନ୍ତି ଶ୍ରୀଲଙ୍କା ନାଗରିକ । ପାଖରେ ନା ଅଛି କାମ ଧନ୍ଦା ନା ଅର୍ଥ । ଜୀବନ ଜିବିକା ନିର୍ବାହ କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହୋଇ ପଡିଛି । ଏଭଳି ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ବେଆଇନ୍ ଭାବେ ଭାରତକୁ ଚାଲି ଆସିବାକୁ ପ୍ରୟାସ କରିବାକୁ ଚେଷ୍ଟା କରୁଛନ୍ତି । ସମୁଦ୍ର ପଥ ଦେଇ ତାମିଲନାଡୁରେ ପ୍ରବେଶ କରିବାକୁ କରୁଛନ୍ତି ଉଦ୍ୟମ । ୮୦ ଦଶକରେ ଶ୍ରୀଲଙ୍କାରେ ଦେଖାଦେଇଥିବା ଗୃହ ଯୁଦ୍ଧ ସମୟରେ ବି ହଜାର ହଜାର ସଂଖ୍ୟାରେ ଶରଣାର୍ଥୀ ଶ୍ରଲଙ୍କା ଛାଡି ଭାରତ ଚାଲି ଆସିଥିଲେ । ଏଭଳି ସମସ୍ୟା ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ଯୋଗାଇ ଆସୁଛି ଭାରତ

– ଜାନୁଆରୀ ମାସରେ ଶ୍ରୀଲଙ୍କାକୁ ୪୦ କୋଟି ଡଲାରର ସହାୟତା ଯୋଗାଇଥିଲା
– ଫେବ୍ରୁଆରୀ ମାସରେ ପେଟ୍ରୋଲିଅମ୍ ସାମଗ୍ରୀ କିଣିବା ପାଇଁ ୫୦ କୋଟି ଡଲାରର ଆର୍ଥିକ ସହାୟତା କରିଥିଲା ଭାରତ
– ଚଳିତ ମାସରେ ବି ୧ହଜାର କୋଟି ଅତିରିକ୍ତ ସହାୟତା ପାଇଁ ମଂଜୁରୀ ଦେଇଛି ଶ୍ରୀଲଙ୍କା

ଶ୍ରୀଲଙ୍କାରେ ମହଙ୍ଗା ଦର ୧୭.୫ପ୍ରତିଶତ ବଢି ସାରିଲାଣି । ଯାହା ଏସିଆ ମହାଦେଶର ଦେଶଗୁଡିକରେ ସବୁଠାରୁ ଅଧିକ । ଦେଶରେ କ୍ଷୀର ଲିଟର ପିଛା ୧,୯୮୦ ଶ୍ରୀଲଙ୍କା ମୁଦ୍ରା ହୋଇଥିବାବେଳେ, ଚାଉଳ କିଲୋ ପିଛା ୫୦୦ ଶ୍ରୀଲଙ୍କା ମୁଦ୍ରା ଏବଂ ଚିନି କିଲୋ ପିଛା ୨୯୦ ଶ୍ରୀଲଙ୍କା ମୁଦ୍ରା ହୋଇ ସାରିଲାଣି ।