ବିଶ୍ୱ ଆଥଲେଟ ଚମ୍ପିୟନସିପରେ ଚମକିଲେ ନୀରଜ ଚୋପ୍ରା : ଦୀର୍ଘ ୪୦ ବର୍ଷ ପରେ ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ ପଦକ

742

କନକ ବ୍ୟୁରୋ : ବିଶ୍ୱ ଆଥଲେଟ ଚମ୍ପିୟନସିପରେ ଚମକିଲେ ନୀରଜ । ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ ପଦକ । ଦୀର୍ଘ ୪୦ ବର୍ଷ ପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା । ଏଥିସହ ସମସ୍ତ ବିଶ୍ୱସ୍ତରୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ । ବୁଦାପେଷ୍ଟରେ ରବିବାର ହୋଇଥିବା ପୁରୁଷ ଜାଭଲିନ୍‌ ଫାଇନାଲ୍‌ରେ ନୀରଜ ଫାଉଲ୍‌ରୁ ଆରମ୍ଭ କରିଥିଲେ ହେଁ ଦ୍ବିତୀୟ ପ୍ରୟାସରୁ ସ୍ବର୍ଣ୍ଣ ପାଇଁ ଦାବିଦାର ରହିଥିଲେ। ଦ୍ବିତୀୟ ପ୍ରୟାସରେ ୮୮.୧୭ ମିଟର ଜାଭଲିନ୍‌ ଫିଙ୍ଗି ସେ ଏହି ସଫଳତା ପାଇଥିଲେ ।

ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନର ଅର୍ଶଦ ନଦୀମ ଋତୁର ଶ୍ରେଷ୍ଠ ପ୍ରଦର୍ଶନ ସହ ୮୭.୮୨ ମିଟରରେ ରୌପ୍ୟ ଏବଂ ଚେକ୍‌ ରିପବ୍ଲିକ୍‌ର ଜାକବ ଭାଦଲେଜକ ୮୬.୬୭ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି । ଏଥିସହ ନୀରଜଙ୍କ ସୋ-କେସ୍‌ରେ ବିଶ୍ବ ଚାମ୍ପିଅନ୍‌ସିପ୍‌ ସ୍ବର୍ଣ୍ଣ ପାଇଁ ଥିବା ଖାଲିସ୍ଥାନ ଏବେ ପୂରଣ ହୋଇଯାଇଛି । ଏଥିପୂର୍ବରୁ ଗତବର୍ଷ ରୌପ୍ୟ ଓ ୨୦୧୭ରେ ୧୫ତମ ସ୍ଥାନରେ ରହିଥିଲା ବେଳେ ସ୍ବର୍ଣ୍ଣ ସ୍ବପ୍ନ ସାକାର ହୋଇଛି । ଓଡ଼ିଆ ଜାଭଲିନ୍‌ ଥ୍ରୋୟର କିଶୋର କୁମାର ଜେନା ପଦକ ପାଇନଥିଲେ ମଧ୍ୟ ନିରାଶ କରିନାହାନ୍ତି । ଦମ୍‌ଦାର ପ୍ରଦର୍ଶନ ସହ ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୮୪.୭୭ ମିଟର) ଦେଇ କିଶୋର ପଞ୍ଚମ ସ୍ଥାନରେ ରହିଥିଲା ବେଳେ ଡିପି ମନୁ ୮୪.୧୪ ମିଟରରେ ତାଙ୍କ ତଳକୁ ରହି ଅଭିଯାନ ଶେଷ କରିଥିଲେ ।

ଅଭିଯାନ ଶେଷ କରିଥିଲେ। ଅର୍ଶଦ ତାଙ୍କ ୬ଟି ପ୍ରସାୟରେ ଯଥାକ୍ରମେ ୭୪.୮୦ ମିଟର, ୮୨.୮୧ ମିଟର, ୮୭.୮୨ ମିଟର, ୮୭.୧୫ ମିଟର, ଫାଉଲ୍‌ ଓ ୮୧.୮୬ ମିଟର ପ୍ରଦର୍ଶନ ଦେଇଥିଲେ। ଇଭେଣ୍ଟ ଆରମ୍ଭରୁ ସମସ୍ତ ଭାରତୀୟଙ୍କ ନଜର ନୀରଜ, ମନୁ ଓ କିଶୋରଙ୍କ ଉପରେ ରହିଥିଲା। ଚତୁର୍ଥ ସ୍ଥାନରେ ଜାଭଲିନ୍‌ ଫିଙ୍ଗିବା ପାଇଁ ନୀରଜ ଆସିଥିଲା ବେଳେ ପ୍ରଥମ ପ୍ରୟାସ ଫାଉଲ ହୋଇଥିଲା। ମନୁ ୭୮.୪୪ ମିଟର ଓ କିଶୋର ୭୫.୭୦ ମିଟରରୁ ଅଭିଯାନ ଆରମ୍ଭ କରିଥିଲେ । ଦ୍ବିତୀୟ ପ୍ରୟାସରେ ନୀରଜ ସତର୍କତାର ସହ ଆତ୍ମବିଶ୍ବାସ ଭରା ଜାଭଲିନ୍‌ ଫିଙ୍ଗିଥିଲେ । ଏହି ପ୍ରୟାସରେ ସେ ୮୮.୧୭ ମିଟର ଫିଙ୍ଗି ସ୍ବର୍ଣ୍ଣ ନିଶ୍ଚିତ କରିଥିଲେ। ମନୁ କିନ୍ତୁ ଫାଉଲ୍‌ ସହ ନିରାଶ କରିଥିଲେ। କିଶୋର ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣି ୮୨.୮୨ ମିଟରରେ ଦ୍ବିତୀୟ ରାଉଣ୍ଡ ଶେଷ କରିଥିଲେ । ତୃତୀୟ ରାଉଣ୍ଡରେ ନୀରଜ ୮୬.୩୨ ମିଟର, ମନୁ ୮୩.୭୨ ମିଟର ଫିଙ୍ଗିବା ବେଳେ କିଶୋରଙ୍କ ଥ୍ରୋ ଫାଉଲ୍‌ ହୋଇଥିଲା। ତଥାପି ଦ୍ବିତୀୟ ରାଉଣ୍ଡ ମାର୍କ ପାଇଁ ତିନି ଭାରତୀୟ ଶେଷ ୮ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ।