ମହାରାଷ୍ଟ୍ର ହାଇଡ୍ରାମା ଭିତରେ ପ୍ରଫୁଲ ପଟେଲଙ୍କ ବଡ ବୟାନ । କହିଲେ, ୫୪ର ୫୧ ଏନସିପି ବିଧାୟକ ଚାହୁଁଥିଲେ ବିଜେପି ସହ ସରକାର । ଏନସିପି ନେତା ନେଇପାରିଲେନି ସଠିକ୍ ନିଷ୍ପତ୍ତି ।

246

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିର ହାଇଡ୍ରାମା ଭିତରେ ଏବେ ସବୁଠୁ ବଡ ରାଜନୈତିକ ସଙ୍କଟ ଦେଇ କରୁଛି ଶରଦ ପାୱାରଙ୍କ ଦଳ ଏନସିପି । ପୁତୁରା ଅଜିତ ପାୱାରଙ୍କ ସହ ଦଳର ତମାମ ବଡ ବଡ ନେତା ତାଙ୍କୁ ଛାଡି ଯାଇ ବିଜେପି ସରକାର ସହ ମିଶିବା ପରେ ଏବେ ବ୍ୟାକଫୁଟରେ ଶରଦ ପାୱାର । ଖାଲି ସେତିକି ନୁହେଁ, ଦଳର ନେତା ତଥା ସାଂସଦ ପ୍ରଫୁଲ ପଟେଲ ବି ଏବେ ଅଜିତଙ୍କ ସହ ଅଛନ୍ତି । ତେବେ ଏହାରି ଭିତରେ ଏନସିପି ସାଂସଦ ପ୍ରଫୁଲ ପଟେଲ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଗତବର୍ଷ ଯେତେବେଳେ ଏମବିଏ ସରକାର ଭାଙ୍ଗିଥିଲା । ସେତେବେଳେ ଏନସିପିର ୫୪ ଜଣରୁ ୫୧ ଜଣ ବିଧାୟକ ବିଜେପି ସହ ମିଶି ସରକାର ଗଢିବାକୁ ଇଚ୍ଛା ରଖିଥିଲେ । ଯାହାକି ସମ୍ଭବ ହେଇନଥିଲା ।

ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏନସିପି ନେତା ପ୍ରଫୁଲ ପଟେଲ କହିଛନ୍ତି ଯେ, ସେତବେଳେ ଆମ ପାଖରେ ଏକ ମୌକା ଥିଲା । ହେଲେ ସେତେବେଳେ ଆମ ନେତା ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେଇପାରିନଥିଲେ । ଏହାପରେ ଏକନାଥ ସିନ୍ଦେ ମୌକାର ସୁଯୋଗ ନେବା ସହିତ ଦେବେନ୍ଦ୍ର ଫଡନାବିସଙ୍କ ସହ ମିଶି ସରକାର ଗଠନ କରିଥିଲେ ।

ପ୍ରଫୁଲ ପଟେଲ ଏହି ଇଣ୍ଟରଭ୍ୟୁ ବେଳେ କହିଛନ୍ତି ଯେ, ଏନସିପିର ଏକାଧିକ ବିଧାୟକଙ୍କ ସହ ଦଳର ନେତା ଏବଂ କର୍ମୀମାନେ ବିଜେପି ସହ ମିଶି ସରକାରରେ ସାମିଲ ହେବାକୁ ଇଚ୍ଛା ରଖିଥିଲେ । ସରକାର ସହ ରହି ଏନସିପି ନେତାମାନେ ନିଜ ନିଜ କ୍ଷେତ୍ରର ବିକାଶ କରିବାକୁ ଚାହୁଁଥିଲେ, ହେଲେ ଏନସିପି ନେତା କିନ୍ତୁ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବାକୁ ଅକ୍ଷମ ହେଇଥିଲେ ।

ଅନ୍ୟପଟେ ପ୍ରଫୁଲ ପଟେଲ କ୍ୟାବିନେଟ୍ ବିସ୍ତାର କଥା କହିବା ସହ, ଆଗାମୀ ଦିନେ ଦୁଇଦିନ ଭିତରେ ବିଭାଗ ବଣ୍ଟନ ହେଇଯିବ ବୋଲି ସୂଚନା ଦେଇଛନ୍ତି । ଏହାପରେ ଶିବସେନା(ସିନ୍ଦେ ଗୋଷ୍ଠୀ), ବିଜେପି ଏବଂ ଏନସିପି (ଅଜିତ ପାୱାର ଗୋଷ୍ଠୀ)ର ଅନ୍ୟ ବିଧାୟକଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯିବ । ସୂଚନାଯୋଗ୍ୟ ଯେ, ପ୍ରଫୁଲ ପଟେଲ ହେଉଛନ୍ତି ସେହି ନେତା, ଯାହାଙ୍କୁ କି ଶରଦ ପାୱାରଙ୍କ ଏକାନ୍ତ ଅନୁଗତ ବୋଲି କୁହାଯାଏ । ଗତମାସରେ ହିଁ ଶରଦ ପାୱାର ସୁପ୍ରିୟା ସୁଲେଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ବନେଇବା ପରେ ଏବେ ଅଜିତଙ୍କ ସହ ହାତ ମିଲାଇଛନ୍ତି ପ୍ରଫୁଲ ପଟେଲ ।