୨୦୨୪ ପାଇଁ ଟିମ୍ ବନାଇଲେ ନବୀନ, ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ୫ ମହିଳା ।

78

କନକ ବ୍ୟୁରୋ: ପଞ୍ଚମ ପାଳିର ତୃତୀୟ ବର୍ଷ ଅତିକ୍ରମ କରିସାରିଛି ନବୀନ ସରକାର । ଏବେ ଆଗକୁ ୨୦୨୪ ନିର୍ବାଚନ । ଚର୍ଚ୍ଚା ହେଉଛି, ନବୀନଙ୍କ ନୂଆ ଟିମ୍ ଏହାକୁ ଆଖି ଆଗରେ ରଖି କରାଯାଇଛି । ଦଳରେ ତାଜାପଣ ଭରିବା ସହ ଭାବମୂର୍ତିକୁ ଆହୁରି ଉଜ୍ୱଳ କରି ନିର୍ବାଚନକୁ ସାମ୍ନା କରିବାକୁ ଚାହୁଁଛି ବିଜେଡି । ଗୋଟିଏ ପଟେ ଦଳୀୟ ଭାବମୂର୍ତି, ଅନ୍ୟପଟେ ସଂଗଠନକୁ ମଜବୁତ କରିବା, ଏହି ଦୁଇଟି ଦିଗକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରିଛି ଶାସକ ଦଳ ।

ନୂଆ ମନ୍ତ୍ରିମଣ୍ଡଳରେ ୯ ଜଣଙ୍କୁ ରିପିଟ କରାଯାଇଥିବା ବେଳେ ୧୧ ଜଣଙ୍କୁ ବାଦ ଦିଆଯାଇଛି । କିଛି ମନ୍ତ୍ରୀ ବିବାଦୀୟ ହୋଇଥିବାରୁ ସେମାନଙ୍କୁ ହଟାଇ ଦିଆଯାଇଛି । କିଛି ନେତାଙ୍କୁ ସଂଗଠନ ସମ୍ଭାଳିବାକୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇଛି । ସେହିପରି କିଛି ବରିଷ୍ଠ ନେତା, ଯେଉଁମାନେ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିଲେ, ସେମାନଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇନାହିଁ । ଚର୍ଚ୍ଚା ହେଉଛି. ନବୀନଙ୍କ ନୂଆ ଟିମ୍ ଶପଥ ନେବା ସହ ୨୦୨୪ ନିର୍ବାଚନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛି ବିଜେଡି । ଯେଉଁ ମନ୍ତ୍ରୀମାନଙ୍କ ବିରୋଧରେ ଅଭିଯୋଗ ଆସିଛି, ଯେଉଁମାନେ ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି, ସେମାନଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଲକ୍ଷ୍ୟ ହେଉଛି ନିର୍ବାଚନ ପୂର୍ବରୁ ଦଳର ଭାବମୂର୍ତିକୁ ଆହୁରି ଉପରକୁ ଉଠାଇବା ।

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ବିବାଦୀୟ ହୋଇପଡିଥିଲେ ଦିବ୍ୟଶଙ୍କର ମିଶ୍ର, ସେହିପରି ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ପ୍ରତାପ ଜେନାଙ୍କୁ ଘେରିଥିଲେ ବିରୋଧୀ । ଜ୍ୟୋତି ପାଣିଗ୍ରାହୀ ମଧ୍ୟ ବିବାଦୀୟ ଥିଲେ । ପରୀ ହତ୍ୟା ମାମଲାରେ ଅରୁଣ ସାହୁଙ୍କ ବିରୋଧରେ ତମ୍ବିତୋଫାନ କରିଥିଲେ ବିରୋଧୀ । ଏମାନଙ୍କୁ ନବୀନଙ୍କ ନୂଆ ଟିମ୍ରେ ସ୍ଥାନ ମିଳିନାହିଁ । ଚର୍ଚ୍ଚା ହେଉଛି, ୨୦୨୪ ନିର୍ବାଚନ ପୂର୍ବରୁ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନାହାନ୍ତି ନବୀନ । ଦଳୀୟ ଭାବମୂର୍ତିରେ ଯେପରି କୌଣସି ଦାଗ ନଲାଗିବ, ସେଥିପାଇଁ ଉଦ୍ୟମ କରାଯାଇଛି ।