ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ ଆଦିବାସୀ ନେତା ଜଗନ୍ନାଥ ସାରକା । ଚର୍ଚ୍ଚା, ‘ଜଗନ୍ନାଥ‘ ନାଁ ପାଇଁ ତାଲିକାରେ ପ୍ରଥମେ ରହିଲା ନାଁ ।

153

 

କନକ ବ୍ୟୁରୋ : ମନ୍ତ୍ରିମଣ୍ଡଳରେ ଜଗନ୍ନାଥ । ଜଗନ୍ନାଥଙ୍କ ନାଁରୁ ଆରମ୍ଭ ହେଲା ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ । ଜଗନ୍ନାଥ ସାରକା, ଯିଏ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଆଜି ପ୍ରଥମ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଜଗନ୍ନାଥ ସାରକାଙ୍କୁ ଆଦିବାସୀ କଲ୍ୟାଣ ଓ ଆଇନ୍ ବିଭାଗର ଗୁରୁ ଦାୟିିତ୍ୱ ମିଳିଛି । ୨୦୧୯ ବିଧାନସଭା ନିର୍ବାଚନରେ ବିଷମ କଟକରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜଗନ୍ନାଥ ପେସାରେ ଜଣେ ଚାଷୀ । ହାତରେ ଲଙ୍ଗଳ ଧରି ହଳ କରିବାକୁ ଖୁବ୍ ପସନ୍ଦ କରନ୍ତି ଜଗନ୍ନାଥ । ଏବେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ପୁଣି ସ୍ଥାନ ପାଇଥିବା ଜଗନ୍ନାଥ, ଯୁବପିଢିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଗୋଟିଏ ପଟେ ଆଧୁନିକ ଯୁଗର ଯୁବପିଢ଼ି ଯେଉଁଠି ଚାଷ କରିବାକୁ ନାପସନ୍ଦ କରୁଛନ୍ତି, ସେହିଠାରେ ଜଗନ୍ନାଥଙ୍କ ପାଇଁ ଚାଷ ଏକ ବୃତି । ତେଣୁ ମନ୍ତ୍ରୀ ପଦ ମିଳିଥିଲେ ବି ସେ ଚାଷ କରିବାକୁ ଆଦୌ କୁଣ୍ଠାବୋଧ କରନ୍ତି ନାହିଁ ।

ଅନ୍ୟପଟେ ତୃଣମୂଳ ସ୍ତରରୁ ସବୁବେଳେ ନେତା ଖୋଜି ବାହାର କରିଆସୁଥିବା ବିଜେଡି, ଜଗନ୍ନାଥଙ୍କୁ ପୁଣି ମନ୍ତ୍ରୀ ପଦ ଦେବା ନିଶ୍ଚିତ ଭାବେ ଏକ ବଡ଼ ବାର୍ତା ଦେଉଛି । ଏହା ପୂର୍ବରୁ ଜଗନ୍ନାଥ ୨୦୧୯ରେ ନବୀନ ସରକାରର ପଂଚମ ପାଳିରେ ନୂଆ ମନ୍ତ୍ରୀମଣ୍ଡଳରେ ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ ହୋଇଥିଲେ ।ରବିବାର ଶପଥ ନେଇଥିବା ୨୧ ଜଣ ବିଧାୟକଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛି ରାୟଗଡା ଜିଲ୍ଲା ବିଷମ କଟକର ବିଧାୟକ ଜଗନ୍ନାଥ ସାରକାଙ୍କ ନାଁ । ଏପରିକି କ୍ରମିକ ନମ୍ବର ୧ର ଉଦ୍ଧ୍ୱର୍ରେ ରହିଛି ଏହି ଆଦିବାସୀ ନେତାଙ୍କ ନାଁ । ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ପ୍ରଥମେ ଶପଥ ନେଇଥିଲେ ଜଗନ୍ନାଥ । ମନ୍ତ୍ରୀପଦ ପାଇଁ ଅନେକ ବରିଷ୍ଠ ନେତାଙ୍କୁ ସୁଯୋଗ ମିଳିଥିଲେ ବି ଶପଥ ନେବାକୁ ପ୍ରଥମେ ଆମନ୍ତ୍ରିତ ହୋଇଥିଲେ ଏହି ଯୁବନେତା ।

କୁହାଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ନାମ ସହ ସମାନ ନାମ ହୋଇଥିବାରୁ ସାରକାଙ୍କୁ ବିଜେଡି ସର୍ବାଗ୍ରେ ରଖିଛି । ଏପରିକି ପୁରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ବିଜୟୀ ହେବା ପରେ ଏହି ବିଶ୍ୱାସ ଦୃଢ ହୋଇଥିବା ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେଡି ଘୋଷଣା କରିଥିବା ତାଲିକାରେ ମଧ୍ୟ ପ୍ରଥମରେ ଥିଲା ଜଗନ୍ନାଥଙ୍କ ନାମ । ପ୍ରଥମ ପର୍ଯ୍ୟାୟରେ ଦଳ ଦେଇଥିବା ୯ ସାଂସଦ ଓ ୫୪ ବିଧାୟକଙ୍କ ତାଲିକାରେ ଏକ ନମ୍ବରରେ ରହିଥିଲେ ସାରକା ।

୨୦୧୯ରେ ନବୀନଙ୍କ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ବେଳେ ମଧ୍ୟ ଦେଖିବାକୁ ମିଳିଥିଲା ଏହି ଧାରା । କିନ୍ତୁ ଜଗନ୍ନାଥ ସାରକା ରାଷ୍ଟ୍ରମନ୍ତ୍ରୀ ଭାବରେ ନିଯୁକ୍ତି ପାଇଥିବାରୁ କ୍ୟାବିନେଟ ମନ୍ତ୍ରୀଙ୍କ ପରେ ପ୍ରଥମେ ଶପଥ ଗ୍ରହଣ କରିବାର ସୁଯୋଗ ପାଇଥିଲେ । କେତେବେଳେ ଜମିରେ ହଳ କରି ତ କେତେବେଳେ ବନ୍ୟା ପରେ ପଙ୍କ ସଫା କରି ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଛନ୍ତି ଏହି ଆଦିବାସୀ ଚେହେରା । ଆଉ ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆସ୍ଥା ଜିତି ଆଦିବାସୀ କଲ୍ୟାଣ ବିଭାଗରେ କ୍ୟାବିନେଟ ପାହ୍ୟାକୁ ଉତୀର୍ଣ୍ଣ ହୋଇଥିବା ବେଳେ ଅତିରିକ୍ତ ଭାବରେ ଗୁରୁତ୍ୱପୂର୍ଣ୍ଣ ଆଇନ ବିଭାଗର ମନ୍ତ୍ରୀ ହେବାର ସୈାଭାଗ୍ୟ ଲାଭ କରିଛନ୍ତି ।