ପେଟ ପାଇଁ ସବୁ ନାଟ : ଟଙ୍କା ଆଗରେ ବନ୍ଧା ପଡ଼ିଛି ଶୈଶବ, ରୋଗୀଣା ମା’କୁ ଭଲ କରିବା ସହ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ଘର ଘର ବୁଲି ପରିବା ବିକ୍ରି କରୁଛନ୍ତି ଭାଇଭଉଣୀ

585

କନକ ବ୍ୟୁରୋ : ପେଟ ପାଇଁ ସବୁ ନାଟ । କଅଁଳ କାନ୍ଧରେ ପରିବାରର ବୋଝ । ଖେଳକୁଦ ବୟସରେ ପରିବାରର ବୋଝ ବୋହୁଛନ୍ତି ଭାଇଭଉଣୀ । ରୋଗୀଣା ମା’ ମୁହଁରେ ଦାନା ଗଣ୍ଡେ ଦେବା ସହ ପାଠପଢ଼ା ଖର୍ଚ୍ଚ ବହନ ପାଇଁ ଅନବରତ କରୁଛନ୍ତି ସଂଘର୍ଷ  । ହାଟରୁ ପରିବା ଆଣି ଗଳିକନ୍ଦି ବୁଲି ବୁଲି ତଟକା ପରିବା ବିକ୍ରି କରୁଛନ୍ତି ଶୁଭମ୍ ଜେନା ଓ କାଜଲ୍ ଜେନା । କୁନି ହାତରେ ଥକି ପଡ଼ିଲେ ଉପାୟ ନାହଁ କି ଆହା ପଦେ କହିବାକୁ କେହିନାହଁ । ଖାଇବାକୁ ହେଲେ କାମ କରିବାକୁ ପଡ଼ିବ ।  ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଉମରକୋଟ ସହରରେ।

ଟଙ୍କା ଆଗରେ ବନ୍ଧା ପଡ଼ିଛି ଶୈଶବ । ନବରଙ୍ଗପୁର ଉମରକୋଟ ସହରରେ ଭାଇଭଉଣୀ ଶୁଭମ୍ ଜେନା ଓ କାଜଲ୍ ଜେନା କିପରି ଦାନା ମୁଠେ ପାଇଁ ସଂଘର୍ଷ କରୁଛନ୍ତି । ଉଭୟଙ୍କ ପାଠପଢ଼ା ଖର୍ଚ୍ଚ ସହ ରୋଗୀଣା ମା’ର ଦେହ ଭଲ ପାଇଁ ଦରକାର ଟଙ୍କା । ପାଖରେ ବାପା ନାହାଁନ୍ତି । ଟଙ୍କା ରୋଜଗାର ପାଇଁ ଗୁଜୁରାଟରେ କାମ କରୁଛନ୍ତି । ହେଲେ ଯେତିକି ଟଙ୍କା ରୋଜଗାର କରି ଘରକୁ ପଠାଉଛନ୍ତି ସେତିକିରେ ତିନି ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର । ଘର ଚଳାଇବା କଷ୍ଟକର ହେବାରୁ ଶୁଭମ୍ ଓ କାଜଲଙ୍କ ମା’ ଉର୍ମିଲା ପରିବା ଦୋକାନ ଟିଏ କରିଥିଲେ । ଦୁଃଖର ବିଷୟ ଅସୁସ୍ଥତା ଯୋଗୁଁ ପରିବା ଦୋକାନର ଦେଖାରଖା କରିପାରିନଥିଲେ । ଫଳରେ ଲାଭ ବଦଳରେ ଅଧିକ କ୍ଷତି ସହିବାକୁ ପଡ଼ିଲା । ଶେଷର ମା’ର ଦୁଃଖ ଦେଖିନପାରି ଭାଇଭଉଣୀ ପରିବା ବିକ୍ରି କରି ପରିବାର ଚଳାଉଛନ୍ତି । ସକାଳ ହେବା ମାତ୍ରେ ଭାଇଭଉଣୀ ପରିବା ବିକ୍ରି କରିବା ପାଇଁ ବାହାରି ପଡ଼ୁଛନ୍ତି । ଛୋଟ ପିଲାଙ୍କୁ ଦେଖି କିଏ ମୂଲଚାଲ କରୁଛି ତ କିଏ ଉଚିତ ଦାମ୍ ଦେଇ ବିଦା କରିଦେଉଛି ।

ପରିବା ବିକ୍ରି କରିବା ସହ ଦୁଇ ଭାଇ ଭଉଣୀ ପାଠ ମଧ୍ୟ ପଢ଼ୁଛନ୍ତି । ଶୁଭମ୍ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ କାଜଲ ଷଷ୍ଠ ଶ୍ରେଣୀର ଛାତ୍ରୀ । ଉଭୟ ମେଧାବୀ ହୋଇଥିଲେ ହେଁ ବାଟ ଓଗାଳୁଛି ଅର୍ଥ  । ୧୦ଟାରୁ ୪ଟା ଅନ୍ୟ ପିଲାଙ୍କ ପରି ସ୍କୁଲକୁ ଯାଉଛନ୍ତି । ଅନ୍ୟପଟେ ପରିସ୍ଥିତିର ତାଡ଼ନାରେ ସକାଳ ୬ଟାରୁ ୯ଟା ଆଉ ଅପରାହ୍ନ ୪.୩୦ରୁ ୬ଟା ପର୍ଯ୍ୟନ୍ତ ପରିବା ବିକ୍ରି କରି ପରିବାର ଚଳାଉଛନ୍ତି । ପରିବା ବିକ୍ରି କରିବା ଦ୍ୱାରା ପାଠପଢ଼ା ପାଇଁ ଯଥେଷ୍ଟ ସମୟ ଦେଇପାରୁନଥିବା କଥା ଅତି କୋହଭରା କଣ୍ଠରେ କହିଛନ୍ତି ଭାଇଭଉଣୀ । ସରକାରୀ ସହାୟତା ମିଳିଲେ ବ୍ୟବସାୟ ଛାଡ଼ି ପାଠ ପଢ଼ିବାରେ ଧ୍ୟାନ ଦେଇପାରନ୍ତେ ବୋଲି କାନ୍ଦି କାନ୍ଦି କହିଛନ୍ତି ତାଙ୍କ ମା’ ।