ଫେରିଲା ରତ୍ନଭଣ୍ଡାର ପ୍ରସଙ୍ଗ : ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

512

କନକ ବ୍ୟୁରୋ : ରତ୍ନଭଣ୍ଡାରର ଅଡ଼ିଟ୍ ହେଉ । ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲି ଏହାର ଅଳଙ୍କାରର ସଠିକ୍ ଯାଞ୍ଚ କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବି କରିଛନ୍ତି । ପୁରୀ ମନ୍ଦିରର ରତ୍ନଭଣ୍ଡାର ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ସହ କୋଟିକୋଟି ଓଡିଆଙ୍କ ଭାବାବେଗ ଜଡିତ ରହିଛି। ୨୦୧୮ ଜୁନ ମାସରେ ରତ୍ନଭଣ୍ଡାର ଚାବି ହଜିବାପରେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଏବଂ ଚାବି ହଜିବା ପରେ ରତ୍ନଭଣ୍ଡାର ଭିତରେ ପ୍ରକୃତରେ ମହାପ୍ରଭୁଙ୍କର ଅଳଙ୍କାର ରହିଛି କି ଏହାର ଯାଞ୍ଚ କରିବା ସହ ପ୍ରକୃତରେ ସୁନା ଗହଣା ସବୁ ସୁରକ୍ଷିତ ଅଛି କି ନାହିଁ ତାହା ଜାଣିବାଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ଏହାସହ ରତ୍ନଭଣ୍ଡାରର ଭିତର ଗୃହର ଅଳଙ୍କାର ସଂପର୍କରେ ୧୯୭୮ ମସିହାରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା, ସେହି ତାଲିକା ସହିତ ବର୍ତମାନ ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯାଇ ଉଭୟର ତାଳମେଳ ଯାଞ୍ଚ କରାଯାଇ ତାକୁ ସାର୍ବଜନିନ କରିବାକୁ ବି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଦାବି କରିଛନ୍ତି ।

ରାଜ୍ୟ ସରକାର ଏବେ ୫-ଟି ଉପରେ ଗୁରୁତ୍ୱ ଦେଉଛନ୍ତି  । ୫ଟି ବ୍ୟବସ୍ଥାକୁ ମନ୍ଦିର ପ୍ରଶାସନିକ ବ୍ୟବସ୍ଥାରେ ଲାଗୁ କରନ୍ତୁ । ୫ଟିରେ ଥିବା ଦୁଇଟି ଟି, ଟ୍ରାନସପରେନ୍ସି ଓ ଟାଇମକୁ ରାଜ୍ୟ ସରକାର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଲାଗୁ କରନ୍ତୁ । ନିର୍ଦ୍ଧିଷ୍ଟ ସମୟସୀମା ଓ ପୁରା ସ୍ୱଚ୍ଛତାରେ ରତ୍ନଭଣ୍ଡାରକୁ ଖୋଲି ଏହାର ଯାଂଚ ହେଉ ବୋଲି ବିରୋଧୀ ଦଳ ନେତା ଦାବି କରିଛନ୍ତି  ।

ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୨୦୧୮ ମାର୍ଚ୍ଚ ୨୨ ରେ ରତ୍ନଭଣ୍ଡାର ଚାବି ହଜିଥିବା କଥା ପ୍ରଶାସନ ସ୍ୱୀକାର କରିବା  ପରେ ଜୁନ ୮ରେ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରିଥିଲେ ମାତ୍ର ସେଥିରୁ କୌଣସି ସୁଫଳ ମିଳି ନାହିଁ ।