ସାଧାନରେ ସମର୍ପିତ ସାରା ଜୀବନ । ଖରା ହେଉକି ବର୍ଷା, କେବଳ ବକଳ ଖଣ୍ଡିଏ ଆଉ ଫଳମୂଳ ଖାଇ ୧୨୧ ବର୍ଷ ବଞ୍ଚିଲେଣି ବକଳଧାରୀ ବାବା ।

4,114

କନକ ବ୍ୟୁରୋ: କୁହନ୍ତି ତପସ୍ୟା ବା କଠୋର ସାଧନାରେ ଅନେକ ଶକ୍ତି ଥାଏ । ଜଣେ ମଣିଷ ଯେବେ ପ୍ରକୃତରେ ସାଧୁତ୍ୱ ବାଟକୁ ଆପଣାଏ ସେତେବେଳେ ପରମଶକ୍ତି ତାଙ୍କୁ ପରମାୟୂ ଦିଅନ୍ତି । ଆଉ ତାକୁ ରୋଗମୁକ୍ତ କରି ଜଣେ ସାଧାରଣ ମଣିଷ ଠାରୁ ତା’କୁ ଏକ ଭିନ୍ନ ପରିଚୟ ଦିଅନ୍ତି । ସେଭଳି ବ୍ୟକ୍ତିତ୍ୱ ବା ଜଣେ ସାଧୁଙ୍କୁ ଚର୍ଚ୍ଚା ଜୋର ଧରିଛି । ନବରଙ୍ଗପୁର ବକଳଧାରୀ ବାବା ନାମକ ଜଣେ ସନ୍ଥ ଯାହାଙ୍କ ବୟସ ୧୨୧ ହେଲେ, ଏବେ ବି ବାବା ପୁରା ଫିଟ୍ । ଦେହରେ କେଵଳ ଗଛର ବକଳ ବୟସର ଅପରାହ୍ନରେ ସାଧୁ ଜଣକ ପୂରା ସକ୍ରିୟ ।

ପରିଣତ ବୟସରେ ନିଜ କାମ ନିଜେ କରିବାକୁ ସେ ପସନ୍ଦ କରୁଥିବା ବେଳେ କାର୍ୟ୍ୟ କରିବାର ପ୍ରବଳ ଆଗ୍ରହ ସାମ୍ନାରେ ବୟସ ବାଧକ ସାଜିପାରିନାହିଁ । ଖରା ହେଉ କି ବର୍ଷା ଅବା ଶୀତ ସବୁ ଋତୁ ଖାଲି ପାଦରେ ଚାଲି ଚାଲି ସେ ନିଜ ଧର୍ମ ପ୍ରଚାର କରନ୍ତି । ନବରଙ୍ଗପୁର ଜିଲ୍ଲା ଉମରକୋଟ ଭଣ୍ଡାରୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଡ଼ାଗଡ଼ ଆଶ୍ରମର ଘଞ୍ଚ ଜଙ୍ଗଲରେ ବାସ କରୁଥିବା ଅଲେଖ ଧର୍ମାବଲମ୍ବୀ ବକଳଧାରି ବାବା ରାମେଶ୍ୱର ।

ପୁଙ୍ଗୁଳା ଦେହ ନା ପାଦରେ ଚପଲ ନା ଅଛି ଦେହରେ ଲୁଗା । କେବଳ ଦେହରେ ବକଳ ଖଣ୍ଡେ । ଛୋଟ ବେଳରୁ ସମ୍ବଲପୁର ଜିଲ୍ଲାରୁ ପୋଡ଼ାଗଡ଼ ଆସି ଆଶ୍ରମ ତିଆରି କରି ରହି ଆସୁଛନ୍ତି ବାବା ରାମେଶ୍ୱର । ବୟସ ଶହେ ଅତିକ୍ରମ କରିଥିଲେ ବି ବାବା ପ୍ରତିଦିନ ଭୋର ୪ ଟାରୁ ଉଠି ପୂଜାର୍ଚ୍ଚନା କରନ୍ତି । ପୋଡ଼ାଶୀ ଛତିଶଗଡ଼ ସହ ଆଖ ପାଖ ଜିଲ୍ଲା ଅଲେଖଙ୍କ ଧର୍ମପ୍ରଚାର ପାଇଁ ଯାଇଥାନ୍ତି । ଖରା, ବର୍ଷା, ଶୀତ ଦେହ କେବଳ ବକଳ ଖଣ୍ଡେ ପିନ୍ଧି ରହିଥାନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା, ପେଜ, ଅନ୍ନ ଓ ଭକ୍ତ ମାନେ ଆଣୁଥିବା ଫଳମୂଳ ଖାଆନ୍ତି ଏବଂ ଜଙ୍ଗଲର ଗୋଟିଏ ଚେର କୁ ଚା କରି ପିଅନ୍ତି ରାମେଶ୍ୱର ବାବା ।

ବାବା ଉଭୟ ଓଡ଼ିଆ ଏବଂ ହିନ୍ଦୀରେ କଥା ହେଉଥିବା ବେଳେ ବାବାଙ୍କୁ ଦେଖିବା ପାଇଁ ନବରଙ୍ଗପୁର ଜିଲ୍ଲାର ଆଖପାଖ ଅଞ୍ଚଳ ସହିତ, କଳାହାଣ୍ଡି ଜିଲ୍ଲା ସହିତ ପୋଡ଼ାଶୀ ଛତିଶଗଡ଼ ରାଜ୍ୟର ଭକ୍ତ ମାନେ ଆସିଥାନ୍ତି । ତେବେ ଏହି ବକଳଧାରୀ ବାବା ଅନେକ ଲୋକ ଯେଉଁମାନେ ବୟସର ଅପରାହ୍ନରେ ହାର ମାନି ଯାଆନ୍ତି ସେମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କୁହନ୍ତି ସ୍ଥାନୀୟ ଲୋକେ ।