ଆଜିର ଦିନରେ ରଚିଥିଲା ତାଣ୍ଡବ । ପୁରୀରୁ ଭୁବନେଶ୍ୱର ସବୁକିଛି କରିଥିଲା ଛାରଖାର ।

602

କନକ ବ୍ୟୁରୋ: ବାତ୍ୟା ଫନିକୁ ୫ ବର୍ଷ ପୂରିଛି । ପୁରୀରେ ଫଣା ଟେକି ଓଡ଼ିଶାର ସବୁଜିମା ସୌନ୍ଦର୍ଯ୍ୟକୁ ଛାରଖାର କରିଦେଇଥିଲା ଅତି ପ୍ରଳୟଙ୍କାରୀ ବାତ୍ୟା ଫନି । ୧୯୯୯ ମହାବାତ୍ୟା ପରେ ଦ୍ୱିତୀୟ ଭୟଙ୍କର ସାମୁଦ୍ରିକ ଝଡ଼ ଭାବେ ରାଜ୍ୟରେ ରଚିଥିଲା ତାଣ୍ଡବ । ଦେଖୁ ଦେଖୁ କେଇ ଘଣ୍ଟା ମଧ୍ୟରେ ବିକଟାଳ ଶବ୍ଦ କରି ସବୁକିଛି ଛାରଖାର କରିଦେଇ ଓଡ଼ିଶା ଛାତିରେ ଦାଗ ଦେଇ ଚାଲିଯାଇଥିଲା ବାତ୍ୟା ଫନି ।

ଗତ ୫ ଦଶନ୍ଧି ମଧ୍ୟରେ ଖାସ କରି ମେ’ ମାସରେ ୯ରୁ ଅଧିକ ସାମୁଦ୍ରିକ ଝଡ଼ ଦେଖିବାକୁ ମିଳିଛି । କିନ୍ତୁ ଏହା ମଧ୍ୟରୁ ଫନି ରୂପରେଖ, ଆବଭାବ ସବୁ ସାମୁଦ୍ରିକ ଝଡ଼ଠୁ ପାଣିପାଗ ବିଶେଷଜ୍ଞଙ୍କୁ ଚକିତ କରିଥିଲା । କାରଣ ଫନି ସମୁଦ୍ର ଭିତରେ ଯେତେଦିନ ରହିଲା ସେତେଦିନ ବଳ ଗୋଟାଇ ଚାଲିଲା ଆଉ କଳ୍ପନା କରିହେଉନଥିବା ପ୍ରଳୟ ରଚିଥିଲା ।

ଫନି ପୁରୀ ଉପପୂଳରେ ସ୍ଥଳଭାଗ ଛୁଇଁବା ପରେ ୧୭୦ରୁ ୨୦୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା । ଦେଖୁ ଦେଖୁ ଗଛ ଭାଙ୍ଗି ରାସ୍ତାଘାଟ ଜାମ୍ ହେବା ସହ ଅନେକ ସ୍ଥାନରେ ବର୍ଷା ପାଣି ଜମିଯାଇଥିଲା । ଫଳରେ ଯୋଗାଯୋଗ ଏକଦମ୍ ବିଛିନ୍ନ ହୋଇଯାଇଥିଲା । ସତେ ଯେମିତି ବର୍ଷା ଆଉ ପବନ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା ଭଳି ଆଗପଛ ହୋଇ ରଚିଚାଲିଥିଲେ ତାଣ୍ଡବ । କିଛି ମିନିଟ୍ ବିରତି ଦେଇ ହଠାତ୍ ୨୧୦ କିଲୋମିଟର ବେଗରେ ମଧ୍ୟ ପବନ ବହିଥିଲା । ପୁରୀ ହେଉ କି ଭୁବନେଶ୍ୱର କେଉଁଠି ଟାୱାର ଭାଙ୍ଗିଥିଲା କେଉଁଠି ସ୍ମାର୍ଟସିଟିର ସୌନ୍ଦ୍ୟର୍ଯ୍ୟକୁ ସ୍ତବ୍ଧ କରିଦେଇଥିଲା ଫନି ।

ଫନି ପ୍ରଭାବକୁ ନେଇ ପାଣିପାଗ ବିଜ୍ଞାନୀମାନେ କୁହନ୍ତି । ୧୯୯୯ ମହାବାତ୍ୟା ପରେ ଓଡ଼ିଶା ଏଭଳି ପ୍ରଳୟଙ୍କାରୀ ବାତ୍ୟା ଦ୍ୱିତୀୟଥର ସାମ୍ନା କରିଛି । ଆଉ ଫନି ଉଗ୍ରରୂପ ନେବା ପଛରେ ଦୁଇଟି କାରଣକୁ ଗୁରୁତ୍ୱ ଦେଇଛନ୍ତି ତାହା ହେଲା ସମୟ ଏବଂ ଶକ୍ତି । ବାତ୍ୟା ଫନି ୨୦୧୯ ଏପ୍ରିଲ ୨୫ ତାରିଖରେ ସୃଷ୍ଟି ହୋଇଥିଲା । ପୁରୀରେ ଲ୍ୟାଣ୍ଡଫଲ କରିବାକୁ ତାକୁ ପାଖାପଖି ୧୦ ଦିନ ସମୟ ଲାଗିଥିଲା । ସମୁଦ୍ର ଭିତରେ ଗତି କରିବା ସମୟରେ ବେଗ କମାଇଥିଲା ଫନି ଆଉ ଏହାଯୋଗୁଁ ଧିରେ ଧିରେ ଫନିର ବଳ ବଢ଼ିଥିଲା । କାରଣ ବାତ୍ୟା ସମୁଦ୍ର ଭିତରେ ଯେତେଦିନ ରହିବ ସେତେ ଶକ୍ତିଶାଳୀ ହେବ । ଫନି ପୂର୍ବରୁ ବଙ୍ଗୋପସାଗରରେ ଯେତେ ବାତ୍ୟା ସୃଷ୍ଟି ହୋଇଛି ତାହା ଅଧିକରୁ ଅଧିକ ୭ ଦିନ ପର୍ଯ୍ୟନ୍ତ ରହିଥିବା ସୂଚନା ମିଳିଛି । କିନ୍ତୁ ଫନି ୧୦ଦିନ ସମୁଦ୍ର ଗର୍ଭରେ ରହି ପ୍ରଳୟ ପାଇଁ ବଳ ଗୋଟାଇଥିଲା । ଫନି ତାମିଲନାଡୁରେ ଲ୍ୟାଣ୍ଡଫଲ କରିବ ବୋଲି ମଧ୍ୟ ସୃଷ୍ଟି ହେବା ପରେ ପରେ ଆକଳନ କରିଥିଲେ ପାଣିପାଗ ବିଜ୍ଞାନୀ । କିନ୍ତୁ ଫନିର ଉତ୍ପତି ଇକ୍ୱେଡର ଅଞ୍ଚଳରୁ ହୋଇଥିବାରୁ ଏହାର ଶକ୍ତି ଓ ଗତିପଥକୁ ଆକଳନ କରିବା ମୁସ୍କିଲ ହୋଇପଡ଼ିଥିଲା ।

ଫନିକୁ ୫ ବର୍ଷ ପୂରିଥିବାବେଳେ ଏବେ ବି ସେଦିନର କଥା ମନେପକାଇଲେ ଲୋମ ଟାଙ୍କୁରି ଉଠୁଛି । ହୃଦଘାତ ହେଲା ଭଳି ପ୍ରଚଣ୍ଡ ଶବ୍ଦ, ପବନର ବେଗ ଆଉ ବର୍ଷାର ବିକଟାଳ ରଡ଼ି ଭିତରେ ଜନଜୀବନ ସ୍ତବ୍ଧ ହୋଇପଡ଼ିଥିଲେ । ସୌନ୍ଦର୍ଯ୍ୟତା ଶ୍ରୀହିନ ହୋଇପଡ଼ିଥିଲା, ବିଭିନ୍ନ ଜିଲ୍ଲାରେ ଜୀବନ-ଜିବିକା ଉଜୁଡ଼ି ପଡ଼ିଥିଲା । ଯିଏ ବାତ୍ୟା ଫନିର ଫଣା ଦେଖିଛି ସେ ଏଭଳି ଝଡ଼ ତୋଫାନର ଅନୁଭୂତିକୁ ବଖାଣିବା ପାଇଁ ବି ଥରିଉଠିବ ।