ତେଜୁଛି ନାଗରିକତା ନିଆଁ, ବଢ଼ୁଛି ହିଂସା । ସଂଶୋଧିତ ଆଇନ୍ ଓ ଏନଆରସିକୁ ବିରୋଧ କରି ବିହାର ବନ୍ଦ, ମୋଦି ସରକାରଙ୍କୁ ଘେରିଲା ଆରଜେଡି । ସେପଟେ ଉତ୍ତରପ୍ରଦେଶ ପ୍ରତିବାଦରେ ଲାଗିଲା ରକ୍ତର ଛିଟା, ଗଲାଣି ୧୪ଜଣଙ୍କ ଜୀବନ ।

300

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନକୁ ନେଇ ତୀବ୍ର ହେବାରେ ଲାଗିଛି ପ୍ରତିବାଦ । ସାରା ଦେଶରେ ଅସ୍ଥିରତା । ଦିଲ୍ଲୀ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ପରେ ବିହାରରେ ଠପ୍ ହୋଇଯାଇଛି ଜୀବନ ଯାତ୍ରା । ଆନ୍ଦୋଳନକାରୀ ରେଳ ରୋକ କରିବା ସହ ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରିଛନ୍ତି । ଏପଟେ କଟକ ଓ ଭୁବନେଶ୍ୱର ପରେ ଓଡ଼ିଶାର ଜିଲ୍ଲା ଓ ବ୍ଲକ୍ ସ୍ତରରେ ପହଂଚିଛି ପ୍ରତିବାଦ ।

ନାଗରିକତା ଆଇନକୁ ବିରୋଧ କରି ଚାଲିଥିବା ପ୍ରତିବାଦ ଏବେ ସାରା ଦେଶରେ ଏକ ପ୍ରକାରର ଅସ୍ଥିରତା ସୃଷ୍ଟି କରିଦେଇଛି । ଉତ୍ତରପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆସାମ ଓ କେରଳ ଭଳି ରାଜ୍ୟରେ ଆଜି ପ୍ରତିବାଦ ଆହୁରି ତୀବ୍ର ହୋଇଛି । ଆଉ ଏହି ସବୁ ରାଜ୍ୟଗୁଡ଼ିକ ଠାରୁ ବଳି ଯାଇଛି ବିହାରରେ ଆରଜେଡିର ପ୍ରତିବାଦ ।

ଆରଜେଡିର ପ୍ରତିବାଦ, ବିହାର ବନ୍ଦ । ରାସ୍ତା ଉପରେ ପ୍ରତିବାଦ, ଅଟକିଲା ଟ୍ରେନ୍ । ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଦିଆଯାଇଥିବା ବିହାର ବନ୍ଦ ଡାକରା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନଯାତ୍ରା ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ରାସ୍ତା ଉପରେ ଟାୟର ଜାଳି ଆରଜେଡି କର୍ମୀମାନେ ନାଗରିକତା ଆଇନ୍ ଓ ପ୍ରସ୍ତାବିତ ଏନଆରସିକୁ ବିରୋଧ କରିବା ସହ ବିଭିନ୍ନ ସ୍ଥାନରେ ଟ୍ରେନ୍ ରୋକ୍ କରି ପ୍ରତିବାଦ କରିଛନ୍ତି । ଦରଭଙ୍ଗାରେ ଆରଜେଡି କର୍ମୀ ସାର୍ଟ ଖୋଲି ଖୋଲାଦେହରେ ପ୍ରତିବାଦ କରିଥିବା ବେଳେ ବୈଶାଳୀରେ ରାସ୍ତାରେ ମଇଁଷି ରଖି ରାସ୍ତା ରୋକ୍ କରିଛନ୍ତି ।

ଏପଟେ ଉତ୍ତରପ୍ରଦେଶ ନାଗରିକତା ଆଇନର ପ୍ରତିବାଦରେ ଲାଗିଛି ରକ୍ତର ଛିଟା । ପ୍ରତିବାଦ ଯୋଗୁଁ ହେଉଥିବା ହିଂସା, ପୁଲିସ୍ କାର୍ଯ୍ୟାନୁଷ୍ଠାନ ଏବଂ ଦଳାଚକଟା କାରଣରୁ ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । ପୁଲିସ୍ ଦେଇଥିବା ସୂଚନା ଅନୁସାରେ,

– ଉତ୍ତରପ୍ରଦେଶରେ ମୃତ୍ୟୁ ସଂଖ୍ୟା ୧୪ରେ ପହଂଚିଛି
– ମିରଟରେ ୫ଜଣ, କାନପୁର, ବିଜନୌର ଓ ଫିରୋଜବାସରେ ୨ଜଣ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି
-ସେହିପରି ମୁଜାଫର ନଗର, ସଂଭଲ ଏବଂ ବାରଣାସୀରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି
-ମୃତକଙ୍କ ମଧ୍ୟରେ ଜଣେ ୮ବର୍ଷର ନାବାଳକ ମଧ୍ୟ ଅଛନ୍ତି

ସାରାଦେଶରେ ନାଗରିକତା ଆଇନ୍ ଓ ଏନଆରସିକୁ ନେଇ ପ୍ରତିବାଦ ଚାଲିଥିବା ବେଳେ ଏହାର ପ୍ରଭାବ ଓଡ଼ିଶାରେ ବି ଦେଖିବାକୁ ମିଳିଛି । କଟକ ଓ ଭୁବନେଶ୍ୱର ପରେ ଓଡ଼ିଶାର ଜିଲ୍ଲା ଓ ବ୍ଲକ୍ ସ୍ତରକୁ ପହଂଚିଛି ଏହି ପ୍ରତିବାଦ । ଆଜି ଅସ୍ତରଙ୍ଗ ଓ ବସ୍ତାରେ ସଂଶୋଧିତ ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଲୋକ । ଆଉ ଏହାରି ଭିତରେ ବାଲେଶ୍ୱରରେ ଏନଆରସିକୁ ସମର୍ଥନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।