୨ ହଜାର ଅପରିଚିତ ଶବର କଲେଣି ସତ୍କାର । କପଡ଼ା ବିକ୍ରି କରି କରୁଛନ୍ତି ମହତ କାର୍ଯ୍ୟ, ପଢ଼ନ୍ତୁ ସାହସୀ ଶାଲୁ ଅପାଙ୍କ କାହାଣୀ…

203

କନକ ବ୍ୟୁରୋ: କଥାରେ ଅଛି କେହି ନାହାନ୍ତି ଯାହାର, ଭଗବାନ ଅଛନ୍ତି ତାହାର । ଆଉ ଏ ଯୁଗରେ ମଣିଷ ରୂପରେ ବି ଜଣେ ଜଣେ ଭଗବାନ ସାଜି ସାହା ହୁଅନ୍ତି । ଠିକ୍ ଏମିତି ଜଣେ ବଡ଼ ହୃଦୟବାନ ମହିଳାଙ୍କ କାହାଣୀ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚାରେ ଅଛି । ଏକାକୀ ୨ ହଜାରରୁ ଅଧିକ ଅଜଣା ଶବର ଅନ୍ତିମ ସକ୍ରାର କରି ଲୋକଲୋଚନକୁ ଆସିଛନ୍ତି ମୁଜଫରନଗର କୃଷ୍ଣପୁରୀର ନିବାସୀ ଶାଲୁ ସୈନୀ ।

ଅପରିଚିତ ବା ଅଜଣା ଶବ । ପରିଚୟ ଖୋଜୁଥିବା ମୃତଦେହର ଆତ୍ମା ଶାନ୍ତି କରିବାକୁ ଆଗେଇ ଆସନ୍ତି ୟୁପି ମୁଜଫରନଗର କୃଷ୍ଣପୁରୀର ଶାଲୁ ସୈନି । ଦୁର୍ଘଟଣାରେ ହେଉ କି, ହତ୍ୟା, ପରିଚୟ ପାଉନଥିବା ଶବର ସାଥୀ ବନିଯାଆନ୍ତି ଶାଲୁ ଅପା । ହିନ୍ଦୁ ରୀତିନୀତିରେ ଅନ୍ତିମ ସକ୍ରାର କରନ୍ତି, ଏବଂ ପ୍ରତି ଶବର ଅସ୍ଥି ବିସର୍ଜନ କରି ମଣିଷ ପଣିଆର ବଡ଼ ଉଦାହରଣ ଦେଖାନ୍ତି ।

ଶାଲୁଙ୍କ କହିବା ମୁତାବକ, କରୋନା ମହାମାରୀ ସମୟରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ହେଉଥିଲା । ସଂକ୍ରମଣ ସନ୍ଦେହରେ ନିଜର ଲୋକ ବି ଶବକୁ ଛୁଇଁବାକୁ ଆସୁନଥିଲେ । ତାହାକୁ ଦେଖି ମୋ ଆଖିରେ ଲୁହ ଆସିଯାଉଥିଲା, ଆଉ ମୁଁ ସେବେଠୁ ଶପଥ କରିଥିଲି ଅପରିଚିତ ଅଜଣା ଶବମାନଙ୍କର ସାଥୀ ବନିଛି । ତାଙ୍କ ଆତ୍ମା ଶାନ୍ତି ପାଇଁ ମୁଁ ମୋ ନିଜ ଖର୍ଚ୍ଚରେ ତାଙ୍କ ସକ୍ରାର କରୁଛି ।

ସବୁଠାରୁ ବଡ଼କଥା ହେଲା, ଶାଲୁ ସୈନୀ ଏକ ଠେଲା ଗାଡ଼ିରେ କପଡ଼ା ବିକ୍ରି କରନ୍ତି । ଆଉ ତା’ ସହ ଏକ ଛୋଟ ଦୋକାନ ମଧ୍ୟ ଚଳାନ୍ତି । ସେଥିରୁ ଯାହା କିଛି ରୋଜଗାର ହୁଏ ନିଜର ଏକ ଟ୍ରଷ୍ଟ କରି ଅଜଣା ଶବକୁ ଆପଣାଇ ଅନ୍ତିମ ସଂସ୍କାର କରୁଛନ୍ତି । ପାଖାପାଖି ୨ ହଜାରରୁ ଅଧିକ ଅଜଣା ଶବର ସକ୍ରାର କରିଥିବା ଶାଲୁ ସୈନୀ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଏହାସହ ବିଭିନ୍ନ ସଂସ୍ଥା ତରଫରୁ ଏଭଳି ମହତ କାର୍ଯ୍ୟ ପାଇଁ ଶାଲୁଙ୍କୁ ସମ୍ମାନିତ କରାଯାଉଛି ।