ଷ୍ଟାର ସ୍ପୋର୍ଟ୍ସ ଉପରେ ରାଗିଲେ ରୋହିତ୍ । ସୋସିଆଲ ମିଡ଼ିଆରେ ଜାହିର କଲେ ଅସନ୍ତୋଷ ।

311

କନକ ବ୍ୟୁରୋ: କ୍ରୀଡ଼ା ପ୍ରସାରଣ ଚ୍ୟାନେଲ ଷ୍ଟାର ସ୍ପୋର୍ଟ୍ସ ଉପରେ ଖପ୍ପା ହୋଇଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା । ଷ୍ଟାର ସ୍ପୋର୍ଟ୍ସ ଖେଳାଳିଙ୍କ ବ୍ୟକ୍ତିଗତ ଗୋପନୀୟତାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ଆଣି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ରୋହିତ୍ ଶର୍ମା । ଆଉ ରୋହିତଙ୍କ ଗୋଟେ ଟ୍ୱିଟ୍ ପରେ ସୋସିଆଲ ମିଡ଼ିଆରେ ସତେ ଯେମିତି ଝଡ଼ ସୃଷ୍ଟି ହୋଇଛି, କାରଣ ରୋହିତଙ୍କ ସମର୍ଥନରେ ବାହାରିଛନ୍ତି କ୍ରିକେଟ୍ ପ୍ରେମୀ ।

ସୋସିଆଲ ମିଡ଼ିଆ ହେଉ କିମ୍ବା ଟିଭି ହେଡଲାଇନ୍ସ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ରୋହିତ୍ ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଷ୍ଟାର ସ୍ପୋର୍ଟ୍ସକୁ ନେଇ ରୋହିତ ମୁହଁ ଖୋଲିବା ପରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଷ୍ଟାର ସ୍ପୋର୍ଟ୍ସକୁ ବିରୋଧ ତେଜିବାରେ ଲାଗିଛି । ରୋହିତଙ୍କ କହିବା ମୁତାବକ, ଷ୍ଟାର ସ୍ପୋର୍ଟ୍ସକୁ ସେ ମନା କରିବା ସତ୍ୱେ ତାଙ୍କ କଥାବାର୍ତ୍ତାକୁ ରେକର୍ଡ କରାଯାଇଥିଲା ଏପରିକି ତାହାକୁ ପ୍ରସାରିତ ମଧ୍ୟ କରାଗଲା । ଯାହା ରୋହିତଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ଆଘାତ ଦେଇଛି ।

ସୂଚନା ମୁତାବକ, ୨୦୨୪ ଆଇପିଏଲ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବ ଖେଳାଳି ଧବଲ କୁଲକର୍ଣ୍ଣି ଏବଂ ଅନ୍ୟ ଖେଳାଳିଙ୍କ ସହ ବାର୍ତ୍ତାଳାପ କରିଥିଲେ ରୋହିତ ଶର୍ମା । ଯାହା ଷ୍ଟାର ସ୍ପୋର୍ଟ୍ସ ବ୍ରଡକାଷ୍ଟ ଟିମ୍ ରେକର୍ଡ କରିଥିଲା, ସେଥିରୁ ଅଡ଼ିଓ କ୍ଲିପ କାଟିଦେବାକୁ କ୍ୟାମେରା ପର୍ସନଙ୍କୁ ଅନୁରୋଧ କରିଥିଲେ ହିଟମ୍ୟାନ୍ ରୋହିତ ଶର୍ମା । କିନ୍ତୁ ଏହାକୁ ଷ୍ଟାର ସ୍ପୋର୍ଟ୍ସ ଟିମ୍ ଏକ୍ସକ୍ଲୁସିଭ୍ କଣ୍ଟେଣ୍ଟ୍ କରି ପ୍ରସାରିତ କରିଥିଲା । ଏପରିକି କେକେଆର ଟିମର ସହକାରୀ କୋଚ୍ ଅଭିଷେକ ନାୟର ଏବଂ ରୋହିତଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ମଧ୍ୟ ଟେଲିକାଷ୍ଟ କରିଥିଲା ଷ୍ଟାର ସ୍ପୋର୍ଟ୍ସ, ଯାହାକୁ ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି ରୋହିତ ଶର୍ମା ।

ଟ୍ୱିଟ୍ କରି ରୋହିତ୍ ଲେଖିଛନ୍ତି ଯେ, କ୍ରିକେଟରଙ୍କ ଦୈନନ୍ଦିନ ଜୀବନରେ ଏବେ କ୍ୟାମେରା ଅଧିକ ହସ୍ତକ୍ଷେପ କରୁଛି । ସାଙ୍ଗ-ସାଥୀଙ୍କ ସହ ଟ୍ରେନିଂ ହେଉ କିମ୍ବା ପରିବାର ସହ ଏକାନ୍ତ ସମୟ ବିତାଇବା, ସବୁକିଛି ରେକର୍ଡ ହେଉଛି । ଷ୍ଟାର ସ୍ପୋର୍ଟ୍ସକୁ ମୁଁ ବାରଣ କରିବା ପରେ ବି ସେମାନେ ଏକ ଭିଡ଼ିଓକୁ ଟେଲିକାଷ୍ଟ କରିଲେ, ଯାହା ଗୋପନୀୟତାର ଉଲ୍ଲଂଘନ ଅଟେ । ଯଦି ଏଥିରେ ପ୍ରତିବନ୍ଧକ ନଲଗାଯାଏ ତେବ ଏକ୍ସକ୍ଲୁସିଭ୍ ଭିଡ଼ିଓ, ଏନଗେଜମେଣ୍ଟ ଚକ୍କରରେ ଦିନେ ଫ୍ୟାନ୍ସ, କ୍ରିକେଟର ଏବଂ କ୍ରିକେଟ୍ ମଧ୍ୟରେ ଥିବା ବିଶ୍ୱାସକୁ ଭାଙ୍ଗିଦେବ ।