ଏଇଠି ଖୋଲିଲା କଏଦୀ ଚା ଦୋକାନ, ଲକଅପ୍ ଭିତରେ ବସି ଚା ପିଇବାର ମଜା ନେଉଛନ୍ତି ଗ୍ରାହକ

275

କନକ ବ୍ୟୁରୋ : ଏବେ ଦେଶର ଯୁବପୀଢିମାନେ ଚାକିରୀ ପଛରେ ନଗୋଡାଇ ବ୍ୟବସାୟ ପ୍ରତି ଆଗ୍ରହ ଦେଖାଉଛନ୍ତି । ଏହି କ୍ରମରେ କିଛି ଶିକ୍ଷିତ ଯୁବକ ଯୁବତୀମାନେ ଛୋଟ ଛୋଟ ବ୍ୟବସାୟ ଆରମ୍ଭ କରୁଥିବା ବେଳେ ପ୍ରତିଷ୍ଠାନକୁ ଏଭଳି କିଛି ୟୁନକ ନାମରେ ନାମିତ କରୁଛନ୍ତି ଯେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସାରା ବିଶ୍ୱରେ ଚା ବ୍ୟବସାୟ ଏକ ଲାଭଜନକ ବ୍ୟବସାୟ ଭାବେ ଗ୍ରହଣ କରାଯାଏ । ଏଥିରେ କମ୍ ବିନିଯୋଗ ଓ ବିଶେଷ ବାକି ଉଧାରର ଝିନଝଟ ନଥିବାରୁ ଏହାକୁ ନେଇ ବ୍ୟବସାୟ କରିବାକୁ ଯୁବପୀଢି ଆଗକୁ ଆସୁଛନ୍ତି । ଆପଣମାନେ ଆଗରୁ ଶୁଣିଛନ୍ତି ଏମବିଏ ଚା ଦୋକାନ, ଗ୍ରାଜୁଏଟ୍ ଚା ଦୋକାନ, ଏନଆରଆଇ ଚା ଦୋକାନ ଓ ଏମ ଇଂଲିସ୍ ଚା ଦୋକାନ । ହେଲେ ଏବେ ଆମେ ଆପଣଙ୍କୁ ଏଭଳି ଏକ ଚା ଦୋକାନ ବାବଦରେ କହିବାକୁ ଯାଉଛୁ ଯାହାର ନାମ ରହିଛି କଏଦୀ ଚା ଦୋକାନ ।

ବିହାର ମୁଜଫରପୁର ଜିଲ୍ଲାରେ ଏମବିଏ କରିଥିବା ବିଟୁ ନାମକ ଜଣେ ଯୁବକ ଏହି ଚା ଦୋକାନ ଆରମ୍ଭ କରିଛନ୍ତି । ଏଠାରେ ଅନ୍ୟ ଚା ଦୋକାନ ଭଳି ଚା ମିଳୁଥିଲେ ବି ଦୋକାନର ସାଜସଜା ଦେଖିଲେ ଆପଣ ଚମକି ପଡିବେ । ଚା ଦୋକାନଟିକୁ ପୋଲିସ ଥାନାର ଲକଅପ୍ ଭଳି ସଜା ଯାଇଛି । ଏଠାକୁ ଚା ପିଇବାକୁ ଆସୁଥିବା ଲୋକମାନେ ପ୍ରଥମେ ସେ ଲକଅପ୍ ଭିତରକୁ ଯାଆନ୍ତି । ଏହାପରେ ବାହାରପଟୁ ତାଲା ପକାଯାଇ ସେମାନଙ୍କୁ ଚା, ଦିଆଯାଇଥାଏ ।

ବିଟୁଙ୍କୁ ଏଭଳି ନିଆରା ଚା ଦୋକାନରେ ଗ୍ରାହକମାନଙ୍କ ଭିଡ ଜମୁଛି । ଏଠାରେ ଗ୍ରାହକମାନେ ଚା ର ମଜା ନେବା ସହ ସେଲଫି ନେବାକୁ ବେଶ୍ ପସନ୍ଦ କରୁଛନ୍ତି । ଦୋକାନର ମାଲିକ ବିଟୁ କହିଛନ୍ତି କି ଏକ ଚା ଦୋକାନ ଖୋଲିବାକୁ ତାଙ୍କର ଅନେକ ଦିନରୁ ଇଚ୍ଛା ଥିଲା । ହେଲେ ସେ କିଛି ନିଆରା କନସେପ୍ଟ ଖୋଜୁଥିଲେ । ଏହି କ୍ରମରେ ତାଙ୍କ ମନକୁ ଏଭଳି ଆଇଡିଆ ଆସିଥିଲା ।