ଚେନ୍ନାଇ-ପଂଜାବ ମ୍ୟାଚର ଶେଷ ଓଭରରେ ରୋଚକ ଦୃଶ୍ୟ । କ୍ରିଜ୍ ଛାଡିଲେନି ମାହି, ଫେରିଆସିଲେ ମିଚେଲ

294

କନକ ବ୍ୟୁରୋ : ଆଇପିଏଲ ୨୦୨୪ର ୪୯ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ସହଜ ବିଜୟ ହାସଲ କରିଛି ପଂଜାବ କିଙ୍ଗ୍ସ । ଏମ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ୧୬୩ ରନର ଲକ୍ଷ୍ୟକୁ ୧୭.୫ ଓଭରରେ ମାତ୍ର ୩ଟି ୱିକେଟ ବିନିମୟରେ ହାସଲ କରିନେଇଛି ପଂଜାବ । ତେବେ ଏହି ମ୍ୟାଚର ପ୍ରଥମ ଇଂନିସର ଶେଷ ଓଭରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଅନ୍ତିମ ଓଭରରେ ସିଏସକେ ପକ୍ଷରୁ ମହେନ୍ଦ୍ର ସିଂ ଧୋନୀ ବ୍ୟାଟିଂ କରୁଥିବା ବେଳେ ନନ୍ ଷ୍ଟ୍ରାଇକରେ ଥିଲେ ଡାରିଲ୍ ମିଚେଲ । ପଂଜାବ ବୋଲର ଅର୍ଶଦୀପ ସିଂଙ୍କ ତୃତୀୟ ବଲରେ ସାମ୍ନା କରିଥିଲେ ମାହି । ଏହି ଲୋ ଫୁଲଟସ୍ ବଲରେ ଧୋନି ଲଙ୍ଗ୍ ଅଫରେ ସଟ୍ ଖେଳିବା ମାତ୍ରେ ରନ୍ ନେବାକୁ ବ୍ୟାଟିଂ କ୍ରିଜ୍ ଆଗେଇ ଆସିିଥିଲେ ଡାରେଲ ମିଚେଲ୍ । ତେବେ ଧୋନି କ୍ରିଜ୍ରେ ସେମିତି ଛିଡା ହେବା ସହିତ ରନ ନେବାକୁ ମିଚେଲ ମନା କରିଥିଲେ । ଶେଷରେ ବାଧ୍ୟ ହୋଇ ମିଚେଲ ନିଜ ସ୍ଥାନକୁ ଫେରି ଆସିଥିଲେ । ତେବେ ଧୋନୀ କାହିଁକି ଏପରି କଲେ, ମିଚେଲ ମଧ୍ୟ ଶେଷ ବଲରେ ବଡ଼ ସଟ୍ ଖେଳିବାକୁ ସକ୍ଷମ ବୋଲି ସୋସିଆଲ ମିଡିଆରେ ମତ ରଖିଛନ୍ତି ୟୁଜର୍ସ ।

ପଂଜାବ ବିପକ୍ଷ ମ୍ୟାଚରେ ଧୋନୀଙ୍କ ଏଭଳି କାର୍ଯ୍ୟକୁ କମେଂଟ୍ରି ସମୟରେ ନାପସନ୍ଦ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଇର୍ଫାନ ପଠାନ । ସିଙ୍ଗଲ୍ ରନ୍ ନେବାକୁ ଧୋନୀ ମନା କରିବା ଅନୁଚିତ୍, ଡାରିଲ୍ ମିଚେଲ ମଧ୍ୟ ଜଣେ ଦକ୍ଷ ଖେଳାଳି ହୋଇଥିବା ବେଳେ ପୂର୍ବ ମ୍ୟାଚରେ ୩୨ ବଲରେ ୫୨ ରନର ଦମଦାର ପାରି ଖେଳିଥିଲେ । ସିଏସକେ ମଧ୍ୟ ଆଇପିଏଲ ନିଲାମରେ ମିଚେଲଙ୍କୁ ୧୪ କୋଟି ଟଙ୍କାରେ କ୍ରୟ କରିଛି, ତେଣୁ ଧୋନୀ ଏପରି କରିବା ଠିକ୍ ନୁହେଁ । କେବଳ ଏହି ଘଟଣା ନୁହେଁ, ପୂର୍ବରୁ ୨୦୧୭ ମସିହାରେ ପୁଣେ ରାଇଜିଙ୍ଗ୍ ସୁପର ଜିଆଂଟ୍ସ ପକ୍ଷରୁ ଖେଳୁଥିବା ସମୟରେ ଜାଡେଜାଙ୍କୁ ଧୋନୀ ଏପରି ରନ୍ ଆଉଟ୍ କରିଥିଲେ ବୋଲି କହିଛନ୍ତି ଇର୍ଫାନ ପଠାନ ।