ରାସ୍ତାରେ ବିକ୍ଷୋଭ କରୁଛନ୍ତି ଅଙ୍ଗନୱାଡି ଦିଦି । ଏପଟେ ଗାଁ ଗାଁରେ ଶିଶୁ ଓ ମହିଳାଙ୍କ ସ୍ଥିତି ବେହାଲ

183

କନକ ବ୍ୟୁରୋ: ନା ଶିଶୁ ମାନଙ୍କୁ ମିଳୁଛି ପୁଷ୍ଟିକର ଖାଦ୍ୟ ନା ମହିଳାଙ୍କୁ ମିଳୁଛି କିଛି ସୁବିଧା । ଦୀର୍ଘ ୨୧ ଦିନ ହେଲା ବନ୍ଦ ପଡ଼ିଛି ଅଙ୍ଗନୱାଡି କେନ୍ଦ୍ର । ସମସ୍ତଙ୍କ ମୁହଁରେ ଗୋଟିଏ କଥା କେବେ ଖୋଲିବ ଅଙ୍ଗନୱାଡି କେନ୍ଦ୍ର ଓ କେବେ ଫେରିବ ସ୍ୱାଭାବିକ ଅବସ୍ଥା । ଏହିଭଳି କିଛି ଖବର ରାୟଗଡା ଜିଲ୍ଲାରୁ ଆସିଛି । ସରକାରଙ୍କ ପାଖରେ ନିଜର ହକ୍ ଦାବି କରି କିଛି ଦିନ ହେଲା ଆନ୍ଦୋଳନରେ ରହିଛନ୍ତି ଅଙ୍ଗନୱାଡି କର୍ମୀ । କେନ୍ଦ୍ରରେ ସୁପରଭାଇଜର ମଧ୍ୟ ଯାଉନାହାନ୍ତି ଖାଦ୍ୟ ବଣ୍ଟନ କରିବାକୁ । ଯାହା ଫଳରେ ହିତାଧିକାରୀ ସବୁ ବିଭିନ ସୁବିଧାରୁ ବଞ୍ଚିତ ରହୁଛନ୍ତି । ଏପରିକି ସେଠାରେ ପଢୁଥିବା କୁନି କୁନି ପିଲାମାନେ ମଧ୍ୟ ପାଠ ପଢି ପାରୁନାହାନ୍ତି । ଗୋଟିଏ ପଟେ ଶିଶୁ ଓ ଗର୍ଭବତୀଙ୍କ ଖାଦ୍ୟ ବନ୍ଦ । ସରକାର କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁନଥିବାରୁ ଦିନକୁ ଦିନ ସ୍ଥିତି ଜଟିଳ ହବାରେ ଲାଗିଛି ।