ବିଜୁ ବାବୁଙ୍କ ବିରତ୍ୱକୁ ନେଇ ପ୍ରସ୍ତୁତ ହେଉଛି ମ୍ୟୁଜିକ ଭିଡିଓ ‘ପ୍ରବାଦ ପୁରୁଷ’ : କାହାଣୀରେ ରହିଛି, ବିଜୁ ପଟ୍ଟନାୟକଙ୍କ ବିରତ୍ୱର ଗାଥା

147

କନକ ବ୍ୟୁରୋ : କିଏ କହେ ଝଡର ଇଗଲ, କିଏ କହେ କଳିଙ୍ଗ ବୀର ତ ପୁଣି କିଏ କହେ ଆଧୁନିକ ଯୁଗର ଖାରବେଳ । ଜନନେତା ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ । ବିଶ୍ୱ ଦରବାରରେ ବି ରହିଛି ତାଙ୍କର ଖ୍ୟାତି । ଜନନେତା ବିଜୁ ପଟ୍ଟନାୟକଙ୍କର ବୀରତ୍ୱର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ମ୍ୟୁଜିକ ଭିଡିଓ – ପ୍ରବାଦ ପୁରୁଷ ।

ଜାମ୍ମୁ କଶ୍ମୀରରୁ ଇଣ୍ଡୋନେସିଆ ଯାଏଁ ବ୍ୟାପିଛି ଓଡିଶା ମାଟିର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଯଶ । ତାଙ୍କ ବୀରତ୍ୱର ଗାଥା ନେଇ ପ୍ରସ୍ତୁତ ହୋଇଛି ମ୍ୟୁଜିକ୍ ଭିଡିଓ – ପ୍ରବାଦ ପୁରୁଷ । ବିଜୁ ବାବୁଙ୍କ ଅବଦାନକୁ ପୁଣି ଥରେ ମନେ ପକାଇଦେବା ପାଇଁ ଏହି ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ୟଶ ବର୍ମନ । ବିଜୁ ବାବୁଙ୍କ ସାହସିକତାକୁ ଜୀବନ୍ତ କରିବାକୁ ଉଦ୍ୟମ କରାଯାଇଛି ।

ପାକିସ୍ତାନ ସେନା, ପସ୍ତୁନ ବିଦ୍ରୋହୀଙ୍କୁ ମୋହରା କରି ଜାମ୍ମୁ କାଶ୍ମୀରକୁ ଅକ୍ତିଆର କରିବାକୁ ଯୋଜନା କରୁଥିବାବେଳେ ବିମାନ ଉଡାଇ କାଶ୍ମୀରରେ ପହଁଚିଥିଲେ ବିଜୁ ପଟ୍ଟନାୟକ । ପାକ୍ର ଏହି ଷଡ଼ଯନ୍ତ୍ରକୁ ଭଣ୍ଡୁର କରି ଦେଇଥିଲା ଭାରତ । ଆଉ ଏଥିରେ ବିଜୁବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନକୁ ଆଜି ବି ମନେ ପକାଉଛନ୍ତି ଇଣ୍ଡୋନେସିଆ ବାସୀ । ଭଙ୍ଗା ଡାକୋଟା ବିମାନକୁ ସେ କିପରି ନିଜ ପ୍ରୟାସରେ କାର୍ଯ୍ୟକ୍ଷମ କରିଥିଲେ ଏବଂ ତାହା କିପରି ଇତିହାସର ଗୋଟିଏ ପରେ ଗୋଟିଏ ସ୍ୱର୍ଣ୍ଣିମ ପୃଷ୍ଠା ଲେଖିବାରେ ସମର୍ଥ ହୋଇଥିଲା, ତାହା ଏହି ଚଳଚିତ୍ରରେ ସ୍ଥାନ ପାଇଛି । ବିଜୁ ବାବୁଙ୍କ ଅଦମ୍ୟ ସାହସକୁ ପୁଣି ଥରେ ଜୀବନ୍ତ କରିବା ପାଇଁ ନିଆରା ପ୍ରୟାସ କରିଛନ୍ତି ୟଶ୍ । ବିଜୁ ପଟ୍ଟନାୟକଙ୍କ ଭୁମିକାରେ ଅଭିନୟ କରୁଛନ୍ତି ଅମୀର ଦାସ । ପୂର୍ବରୁ ଅନେକ ଭୁମିକାରେ ଅଭିନୟ କରିଥିଲେ ବି ଟଲ୍ ମ୍ୟାନ୍ ବିଜୁ ବାବୁଙ୍କ ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ବଡ଼ ଚ୍ୟାଲେଂଜ ।

ଯୁବ ନିର୍ଦ୍ଦେଶକ ୟଶ ବର୍ମନ, ଏହି ଚଳଚିତ୍ରରେ ନିର୍ଦ୍ଦେଶନାର ଦାୟିତ୍ୱ ତୁଲାଇବା ସହ ଅଭିନୟ, କ୍ୟାମେରା ଓ ଏଡିଟିଂର ଦାୟିତ୍ୱ ତୁଲାଇଛନ୍ତି । ମ୍ୟୁଜିକ୍ ଭିଡିଓର ପ୍ରୟୋଜନା କରିଛନ୍ତି ରଶ୍ମୀ ରଂଜନ । ଓଡିଶାର ନିଜସ୍ୱ କାହାଣୀକୁ ନେଇ ଆଗାମୀ ଦିନରେ ଏହି ଯୁବ ଟିମ୍ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ପାଇଁ ଯୋଜନା ରଖିଛି ।