ନୂଆ ପଦକ୍ଷେପ ! ଋତୁସ୍ରାବ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ଦେଉଛି ମୁମ୍ବାଇର ଏକ କମ୍ପାନୀ

78

ଜାପାନ୍, ଇଣ୍ଡୋନେସିଆ, ଇଟାଲୀ ଏବଂ ସାଉଥ କୋରିଆ ଆଦି ଦେଶରେ ମାସିକ ଧର୍ମ ସମୟ (ଋତୁସ୍ରାବ)ରେ ମହିଳା କର୍ମଚାରୀଙ୍କୁ ଛୁଟି ଦେବା ସେଠାକାର କମ୍ପାନୀ ପଲିସିର ଏକ ଅଂଶ ବିଶେଷ । କିନ୍ତୁ ଏବେ ମୁମ୍ବାଇର ଏକ ଡିଜିଟାଲ୍ ମିଡିଆ ‘କଲଚର୍ ମେସିନ୍’ ନିଜ ମହିଳା କର୍ମଚାରୀଙ୍କୁ ମାସିକ ଧର୍ମର ପ୍ରଥମ ଦିନ ଦେୟ ଛୁଟି ଦେବାକୁ ଘୋଷଣା କରିଛି । ଏହା ସହ ଏହି ଛୁଟି ନେବା ବେଳେ କମ୍ପାନୀ ପକ୍ଷରୁ କୌଣସି ପ୍ରଶ୍ନ ମଧ୍ୟ ପଚାରାଯିବ ନାହିଁ । ସମାଜରେ ପ୍ରଚଳିତ ପ୍ରଥା ବିରୋଧରେ ଏହା ଏକ ପ୍ରୟାସ ବୋଲି କହିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ।

କେବଳ ଏତିକି ନୁହେଁ କମ୍ପାନୀ ଏନେଇ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଏକ ଅନଲାଇନ୍ ପିଟିସନ୍ ଦେଇଛନ୍ତି । ଯେଉଁଥିରେ ଦେଶର ଅନ୍ୟ କମ୍ପାନୀ ମାନଙ୍କରେ ମଧ୍ୟ ଏହି ନିୟମ ପ୍ରଚଳନ କରିବା ପାଇଁ ଅନୁରୋଧ କରାଯାଇଛି ।

ଅନେକ ମହିଳା ସେମାନଙ୍କ ମାସିକ ଧର୍ମ ସମୟରେ ଅନେକ କଷ୍ଟ ଏବଂ ଯନ୍ତ୍ରଣା ସହି କାମ କରିଥାନ୍ତି । ତେଣୁ ମହିଳାମାନଙ୍କ ଏହି ସମସ୍ୟାକୁ ଆଖି ଆଗରେ ରଖି ‘କଲଚର୍ ମେସିନ୍’ ଏକ ଭିଡିଓ ମଧ୍ୟ ଜାରି କରିଛି । ଯେଉଁଥିରେ ମହିଳା ମାନେ ଏହି ଦିନ ମାନଙ୍କରେ କେଉଁ କେଉଁ ସମସ୍ୟା ଦେଇ ଗତି କରିଥାନ୍ତି ତାକୁ ବୟାନ୍ କରିଛନ୍ତି ।

ଭିଡିଓରେ ଜଣେ ମହିଳା କହିଛନ୍ତି , ଘରେ ବିଶ୍ରାମ ନେବାକୁ ଇଚ୍ଛା ଥିଲେ ମଧ୍ୟ ଅଫିସରେ କାମ କରିବାକୁ ପଡିଥାଏ । ଆଉ କେତେ ଜଣ ମହିଳା ମତ ଦେଇଛନ୍ତି ପୁରୁଷ ବସ୍ ମାନଙ୍କୁ ଏହି ସମସ୍ୟା ନେଇ କହିବା ଅସମ୍ଭବ ହୋଇଥାଏ । ଭିଡିଓ ଶେଷରେ ଦେଖିବାକୁ ମିଳିଛି କମ୍ପାନୀ ନିଜର ମହିଳା କର୍ମଚାରୀମାନଙ୍କୁ ମାସିକ ଧର୍ମର ପ୍ରଥମ ଦିନରେ ଦେୟ ଛୁଟି ପ୍ରଦାନ କରାଯିବ ବୋଲି ଘୋଷଣା କରିଛି । ଏବେ ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ସହ ସାଉଁଟିଛି ଅନେକ ପ୍ରଶଂସା ।

ଭାରତ ଏପରି ଏକ ଦେଶ ଯେଉଁଠି ଆଜି ପର୍ଯ୍ୟନ୍ତ ମହିଳା ସଶକ୍ତିକରଣ କେବଳ ଆଲୋଚନା, ପର୍ଯ୍ୟାଲୋଚନା, ତର୍କ ଏବଂ ବିତର୍କ ମଧ୍ୟରେ ରହିଯାଇଛି । କିନ୍ତୁ ଆମେ ଏହାକୁ କାମରେ ପରିଣତ କରିବାକୁ ଚାହୁଁ ବୋଲି କହିଛନ୍ତି କମ୍ପାନୀର ସହ ପ୍ରତିଷ୍ଠାତା ଭେଙ୍କଟ୍ ପ୍ରସାଦ ।

କଣ କହେ ଓଡିଶା :
ଏନେଇ ବିଶିଷ୍ଟ ସମାଜ ସେବୀ ନମ୍ରତା ଚଢ଼ାଙ୍କ ମତାମତ ନେଇଥିଲା କନକ ନ୍ୟୁଜ୍ । ‘କଲଚର୍ ମେସିନ’ର ଏହାକୁ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ନମ୍ରତା । କିନ୍ତୁ ଏହା ସହ ଆଉ ଏକ ପ୍ରଶ୍ନ ଉଠାଇଛନ୍ତି ସେ । କହିଛନ୍ତି, କମ୍ପାନୀ ଯଦିଓ ଏହି ପଦକ୍ଷେପ ନେଇଛି କିନ୍ତୁ କେତେଦିନ ପର୍ଯ୍ୟନ୍ତ ଏହି ନିୟମକୁ ପାଳନ କରିପାରୁଛି ତାହା ବଡ କଥା ।

ଅନ୍ୟପଟେ ସମାଜସେବୀ ଋତୁପର୍ଣ୍ଣା ମହାନ୍ତି ମଧ୍ୟ ଏହି ପଦକ୍ଷେପକୁ ପ୍ରଂଶସା କରିବା ସହ କହିଛନ୍ତି ମହିଳା ମାନେ ନିଜ କାମକୁ ନେଇ ସର୍ବଦା ସଚେତନ ଥାନ୍ତି । କିନ୍ତୁ ରୁତୁସ୍ରାବ ସମୟରେ ସେମାନଙ୍କ ଶରୀରକୁ ବିଶ୍ରାମ ଆବଶ୍ୟକ ଥାଏ । ହେଲେ ଏହି ସମୟରେ ଛୁଟି ନେଲେ କାଳେ ବର୍ଷର ଅନ୍ୟ ଛୁଟି ମାନଙ୍କ ଉପରେ ପ୍ରଭାବ ପଡିବ ତେଣୁ ବାଧ୍ୟ ହୋଇ କର୍ମକ୍ଷେତ୍ରକୁ ଯାଇଥାନ୍ତି । ତେବେ ‘କଲଚର୍ ମେସିନ’ର ମହିଳା ମାନଙ୍କ ପ୍ରତି ଏହି ସମ୍ମାନ ଜନକ ପଦକ୍ଷେପ ନିଶ୍ଚିତ ଭାବରେ ଅନ୍ୟ କମ୍ପାନୀ ମାନଙ୍କ ପାଇଁ ଏକ ଉଦାହରଣ ସାଜିବ ବୋଲି କହିଛନ୍ତି ଋତୁପର୍ଣ୍ଣା ।

ଅନ୍ୟପଟେ ପୁରୁଷଙ୍କ ଅଧିକାର ପାଇଁ କାମ କରୁଥିବା କିଛି ସମାଜସେବୀ କହିଛନ୍ତି ଆଜିର ସମାଜ ଯେଉଁଠି ସମାନତାର କଥା କହୁଛି ସେଠି ମହିଳା ମାନଙ୍କୁ ଅଗ୍ରାଧିକାର ଦେବା କେତେ ଦୂର୍ ଠିକ୍ । କର୍ମକ୍ଷେତ୍ରରେ ଉଭୟ ମହିଳା ଏବଂ ପୁରୁଷଙ୍କୁ ସମାନ ନଜରରେ ଦେଖିବା ପାଇଁ ଅନେକ ସମୟରେ କଥା ଉଠିଛି । କିନ୍ତୁ ଏହି ପଦକ୍ଷେପ ପ୍ରମାଣିତ କରୁଛି ଯେ ମହିଳା ଏବଂ ପୁରୁଷ କେବେ ବି ସମାନ ହୋଇପାରିବେ ନାହିଁ ।

ଏଭଳି ଭିନ୍ନ ମତ ଭିତରେ କଲଚର୍ ମେସିନର ପଦକ୍ଷେପ ଓ ସାମଜସେବୀଙ୍କ ବୟାନ୍ ନୂଆ ବିତର୍କକୁ ଜନ୍ମ ଦେଇଛି  ।