ମହାରାଷ୍ଟ୍ରର କରୋନା ସ୍କାମ ଉପରେ ପ୍ରବର୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ । ଶିବସେନା ନେତା ଆଦିତ୍ୟ ଠାକରେଙ୍କ ସହଯୋଗୀଙ୍କ ଠିକଣାରେ ଇଡିର ଚଢାଉ

128

କନକ ବ୍ୟୁରୋ : କୋଭିଡ଼ ସ୍କାମ ଅଭିଯୋଗରେ ମୁମ୍ବାଇରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢ଼ାଉ । ମହାମାରୀ କରୋନା ସମୟରେ ସେବା ଯୋଗାଇ ଦେବା ନାଁରେ କରାଯାଇଥିବା ଠକେଇର ଇଡ଼ି ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ଇଡ଼ି ଟିମ ଥାନେ, ନଭି ମୁମ୍ବାଇ ଓ ମୁମ୍ବାଇର ମୋଟ ୧୫ଟି ସ୍ଥାନରେ ଛାନଭିନ କରିଛି । କରୋନା ବେଳେ ଫିଲ୍ଡ ହସ୍ପିଟାଲ ବା ଜିମ୍ବୋ ହସ୍ପିଟାଲର ପରିଚାଳନା ନାଁରେ ୩୮ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ମନି ଲଣ୍ଡରିଂ ମାମଲା ରୁଜୁ କରିଛି ଇଡ଼ି । ଆଇଏଏସ ଅଫିସର ସଂଜୀବ ଜୟସାଲ ଏବଂ ଶିବସେନା ଉଦ୍ଧବ ଗୋଷ୍ଠୀର ଦୁଇ ଜଣ ଘନିଷ୍ଠ ସହଯୋଗୀ ସୁରଜ ଚଭନ ଓ ସୁଜିତ ପାଟକରଙ୍କ ଘରେ ଏନେଇ ଚଢ଼ାଉ କରିଛି ଇଡ଼ି । ଆଇଏଏସ ଜୟସ୍ୱାଲ ପୂର୍ବରୁ ଥାନେ ମ୍ୟୁନିସିପାଲ କମିଶନର ଥିବାବେଳେ କୋଭିଡ଼ ସମୟରେ ବୁହାନ ମୁମ୍ବାଇ ମୁନିସିପାଲିଟି କର୍ପୋରେସନର ଅତିରିକ୍ତ କମିଶନର ଭାବେ ନିଯୁକ୍ତ କରାଯାଇଥିଲା । ଏହି ଘଟଣାରେ ମଧ୍ୟ ଗତ ଜାନୁଆରୀରେ ଇଡ଼ି ବିଏମସି କମିଶନର ଆଇଏଏସ ଚହଲଙ୍କ ବୟାନ ରେକର୍ଡ଼ କରିଥିଲା । ତେବେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଏନେଇ ଛାନଭିନ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।