୨୦୨୪ ଆଇପିଏଲରେ ବି ଖେଳିବେ ଧୋନୀ: ପୁଣି ଦେଖିବାକୁ ମିଳିବ କ୍ୟାପଟେନ କୁଲଙ୍କ କମାଲ

185

କନକ ବ୍ୟୁରୋ: ଆଇପିଏଲ ୨୦୨୪କୁ ଆହୁରି ଅନେକ ଦିନ ବାକି । ହେଲେ ଏବେଠୁ ଆରମ୍ଭ ହୋଇଗଲାଣି ଖେଳାଳିଙ୍କ ରିଲିଜ ପ୍ରକ୍ରିୟା । ଏହାସହ ଡିସେମ୍ବର ମାସରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ବି ଆରମ୍ଭ ହେବ । ତେବେ ଏହି ପ୍ରକ୍ରିୟା ଭିତରେ ଅନେକ ଫ୍ରାଞ୍ଚାଇଜ କିଛି ଖେଳାଳିଙ୍କୁ ରିଟେନ ରଖି ଅନ୍ୟ କିଛି ଖେଳାଳିଙ୍କୁ ରିଲିଜ କରିଛି । ଏହି ପ୍ରକ୍ରିୟାରେ ମହେନ୍ଦ୍ର ସିଂ ଧୋନୀ ବି ସାମିଲ ଅଛନ୍ତି । ୨୦୨୪ ଆଇପିଏଲ ପାଇଁ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗ ରିଟେନ ରଖିଛି । ଫ୍ରାଞ୍ଚାଇଜ ସ୍ପଷ୍ଟ କରିଛି ଯେ, ୨୦୨୪ରେ ଧୋନୀ ଚେନ୍ନାଇ ପାଇଁ ଖେଳୁଥିବାର ନଜର ଆସିବେ ।

୨୦୨୦ ମସିହାରେ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ହେଲେ ସେବେଠାରୁ ସେ ଆଇପିଏଲ ଖେଳିବା ଜାରି ରଖିଛନ୍ତି । ଆଉ ପ୍ରତି ବର୍ଷ ଆଇପିଏଲରେ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ହୋଇଥାଏ । କେବେ ଧୋନୀ ଆଇପିଏଲରୁ ଅବସର ନେବେ ତାକୁ ତର୍କ ବିତର୍କ ଆରମ୍ଭ ହୋଇଥାଏ । ହେଲେ ଏହି କଥା ଧୋନୀଙ୍କ ଛଡା ଆଉ କେହି ଜାଣି ନହାନ୍ତି । ଗତ ବର୍ଷ ଆଇପିଏଲ ପ୍ରଥମ ମ୍ୟାଚରେ ତାଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ ଏହା ତାଙ୍କ ଶେଷ ଆଇପିଏଲ କି ସେ ହସିକି କହିଥିଲେ ଜମାରୁ ବି ନୁହେଁ ।

ଧୋନୀ ଆଇପିଏଲ ଇତିହାସର ଏକମାତ୍ର ଖେଳାଳି ଯିଏ ୨୦୦୭ରୁ ଏବେ ଯାଏଁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ରହିଆସିଛନ୍ତି । ଚେନ୍ନାଇ ୨ ବର୍ଷ ବ୍ୟାନ ହେବା ବେଳେ ସେ ପୁନେ ଦଳରେ ଅଧିନାୟକ ରହିଥିଲେ । ଏହାସହ ସେ ଚେନ୍ନାଇକୁ ଆଇପିଏଲରେ ୫ଥର ଚାମ୍ପିୟନ କରାଇବାରେ ସଫଳ ହୋଇଛନ୍ତି । ୨୦୨୩ ଆଇପିଏଲରେ ଧୋନୀ ଭଲ ଫର୍ମରେ ନଜର ଆସିଥିଲେ । ସେ ଶେଷ ବେଳକୁ ବ୍ୟାଟିଂ ଆସି ବିସ୍ଫୋରକ ଖେଳୁଥିବାର ନଜର ରହିଥିଲା ।

ଆଇପିଏଲରେ ଧୋନୀ ୨୫୦ ମ୍ୟାଚ ଖେଳି ୫ ହଜାର ୮୨ ରନ କରିଛନ୍ତି । ତାଙ୍କ ଚତୁର ବୁଦ୍ଧିରେ ବିପକ୍ଷ ଦଳ ଚିତ ହୋଇ ଯାଆନ୍ତି । ଶେଷ ବେଳେ ବ୍ୟାଟିଂ କରି ମ୍ୟାଚ ଜିତାଇବା ହେଉ କି ୱିକେଟ ପଛରେ ଛିଡାହୋଇ ରଣନୀତି କରିବା ସବୁଥିରେ ମାହି ମାହିର ।

ତେବେ ୨୦୨୪ ଆଇପିଏଲରେ ଧୋନୀ ପୁଣି ନିଜ କମାଲ ଦେଖାଇବେ । ଆଉ ଧୋନୀଙ୍କୁ ଦେଖିବାକୁ ଷ୍ଟାଡିୟମରେ ଫ୍ୟାନ୍ସ ଭିଡ ଜମାଇବେ, ଆଉ ଧୋନୀ ଧୋନୀ କହି ଚିୟର କରିବେ । ଅନେକ ଭାବିଥିଲେ ଆଗାମୀ ଆଇପିଏଲରେ ଆଉ ଧୋନୀ ଖେଳିବେ ନାହିଁ । ହେଲେ ଧୋନୀଙ୍କୁ ରିଟେନ ରଖି ଫ୍ୟାନଙ୍କୁ ବଡ ସରପ୍ରାଇଜ ଦେଇଛନ୍ତି ଫ୍ରାଞ୍ଚାଇଜ । ତେବେ ୨୦୨୪ ବିଶ୍ୱକପରେ ଧୋନୀଙ୍କ ପ୍ରଦର୍ଶନ ଉପରେ ରହିବ ସମସ୍ତଙ୍କ ନଜର । ଆଉ ଏହା ତାଙ୍କ ଶେଷ ଆଇପିଏଲ ନା ନାହିଁ ତାହା ବି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।