ଉତରକାଶୀ ସିଲକ୍ୟାରା ଟନେଲରୁ ଶ୍ରମିକ ଉଦ୍ଧାରକୁ ଆଉ ଅଳ୍ପ ସମୟ: ଆହୁରି ୨ ମିଟର ଡ୍ରିଲିଂ ବାକି

192

କନକ ବ୍ୟୁରୋ: ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲ୍ରେ ଫସିଥିବା ୪୧ ଶ୍ରମିକଙ୍କ ନିକଟତର ପହଂଚିଲା ଏନଡିଆରଏଫ୍ ଟିମ୍ର ପାଇପ । ଏନଡିଆରଏଫ୍ ଟିମ୍ ପାଇପ୍ ଯୋଗେ ଶ୍ରମିକଙ୍କୁ ବାହାର କରିବେ । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପରିଜନଙ୍କୁ ସେମାନଙ୍କ ପୋଷାକ ଓ ବ୍ୟାଗ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ବାହାରକୁ ଆସିବା ପରେ ସମସ୍ତ ଶ୍ରମିକଙ୍କୁ ହସ୍ପିଟାଲ ନିଆଯିବ । ଏବେବି ୨ ମିଟର୍ ଡ୍ରିଲିଂ ବାକି ରହିଛି । ଅର୍ଥାତ୍ ୫୮ ମିଟର୍ ଡ୍ରିଲିଂ ସରିଛି । ଏହାସହ ୪୫ ମିଟର ଭର୍ଟିକାଲ ଡ୍ରିଲିଂ ମଧ୍ୟ ଶେଷ ହୋଇଥିବା ସୂଚନା ଦେଇଛନ୍ତି ଏନଡିଏମ୍ଏ ଅଧିକାରୀ । କହିଛନ୍ତି, ଉଦ୍ଧାର କାମରେ ଏନଡିଆରଏଫ୍ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ । ପ୍ରତି ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ୩ରୁ ୫ ମିନିଟ୍ ଲାଗିବ । ଅର୍ଥାତ୍ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର ପାଇଁ ୩ରୁ ୪ ଘଂଟା ସମୟ ଲାଗିବ । ତେଣୁ ଉଦ୍ଧାର ପାଇଁ କୌଣସି ତରବରିଆ ହେବାର ଆବଶ୍ୟକତା ନାହିଁ । ସୁରକ୍ଷା ପାଇଁ ସବୁ ପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଏନଡିଏମ୍ଏ ଅଧିକାରୀ । ସେପଟେ ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଖାପାଖି ପହଂଚିବା ଖବର ଆସିବା ପରେ ଟନେଲ ବାହାର ଅଂଚଳ ଅଧିକ ଚଳଚଂଚଳ ହୋଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି । ଟନେଲ ବାହାରେ ପୁଣି ଥରେ ପହଂଚିଛି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଗୁଡ଼ିକୁ ଟନେଲ ଭିତରକୁ ନିଆଯାଇଛି । ଏନଡିଆରଏଫ, ଏସଡିଆରଏଫ ଓ ସେନା ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ସମସ୍ତେ ସଜାଗ ରହିଛନ୍ତି । ପରିବାର ଲୋକ ମଧ୍ୟ ଶ୍ରମିକଙ୍କ ଅପେକ୍ଷାରେ ବାହାରେ ଜଗିଛନ୍ତି । ସ୍ୱତନ୍ତ୍ ଦ ‘ର୍ୟାଟ୍ ହୋଲ ମାଇନର୍ସ’ଙ୍କୁ ନିୟୋଜିତ କରାଯାଇଛି । ଗତ ୧୨ ତାରିଖଠାରୁ ୧୭ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିଛନ୍ତି ୪୧ଜଣ ଶ୍ରମିକ । ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି ।