ହସ୍ପିଟାଲ ବେଡରେ କୁନି ପୁଅ ସ୍ୱରାଜ: ଅସହାୟ ମା’ର ଆକୁଳ ନିବେଦନ, ମୋ ପୁଅକୁ ଭଲ କରିଦିଅ…

256

କନକ ବ୍ୟୁରୋ: ମୋ ପୁଅକୁ ଫେରାଇ ଆଣ… ମୋ ପୁଅକୁ ଭଲ କରିଦିଅ… ମୋ ପୁଅର ହାର୍ଟ ଅପରେସନ ହେବ । ଟଙ୍କା ନଦେଲେ ମୋ ପୁଅର ଅପରେସନ ହେଇ ପାରିବନି । ମୋତେ ଦୟା କର, ମୁଁ ଆଉ ମୋ ପରିବାର ବହୁତ କଷ୍ଟରେ ଅଛୁ । ଆମକୁ ସାହାଯ୍ୟ କର…

ଏ ହେଉଛି ଜଣେ ଅସହାୟ ମା’ର ମନର କଥା । କୋହ ଭରା କଣ୍ଠରେ ନିଜ ପୁଅକୁ ବଞ୍ଚାଇଦେବାକୁ ସେ ଅନୁରୋଧ କରୁଛି, ନେହୁରା ହେଉଛି । ଏମିତି ହତଭାଗିନୀ ଯେ ପୁଅ ପାଖକୁ ଯାଇ ପାରୁନି କି ତା ମୁଣ୍ଡରେ ଆଶୀର୍ବାଦର ହାତ ବି ବୁଲାଇ ପାରୁନି । ମୋବାଇଲରେ ପୁଅର ଫଟୋ ଦେଖି ବାହୁନି କାନ୍ଦିବା ଛଡା ତା ପାଖରେ କିଛି ବାଟ ହିଁ ନାହିଁ । ପେଟରେ ୮ ମାସର ପିଲାକୁ ଧରି ଏଭଳି ଯନ୍ତ୍ରଣା ସହୁଛି ଏହି ଅସହାୟ ମା…

କେନ୍ଦ୍ରାପଡା ରାଜଗନର ଅଞ୍ଚଳ ସାନଓର ଗାଁର ବନିତା ଦାସ । ବନିତା ଏବେ ୮ ମାସର ଗର୍ଭବତୀ । ପରିବାର କହିଲେ ଶାଶୂ, ଶଶୁର, ସ୍ୱାମୀ, ସ୍ତ୍ରୀ ଓ କୁନି ପୁଅଟି । ଅଭାବ ଅନଟନ ଭିତରେ ବେଶ ଖୁସିରେ ଚାଲିଥିଲା ତାଙ୍କ ପରିବାରର ରଥ । ହେଲେ ଗତ ୩ ତାରିଖରେ ତାଙ୍କ ପରିବାର ଉପରକୁ ମାଡି ଆସିଥିଲା ଦୁଃଖର କଳା ବାଦଲ । ହଠାତ ତାଙ୍କ ଶଶୂରଙ୍କୁ ବେନଷ୍ଟ୍ରୋକ ହେବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏହାରି ଭିତରେ ବୋଝ ଉପରରେ ଲଳିତା ବିଡା ପରି ୫ ବର୍ଷର କୁନି ପୁଅ ସ୍ୱରାଜ ବି ହଠାତ ଅସୁସ୍ଥ ହୋଇପଡିଥିଲା । ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଥିଲା ସେଥିରେ ପରିବାରର ପାଦ ତଳୁ ମାଟି ଖସିଯାଇଥିଲା । ସ୍ୱରାଜ ହାର୍ଟରେ ହୋଲ ଥିବାରୁ ତାକୁ ଏବେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସ୍ୱରାଜର ଅପରେସନ ପାଇଁ ଏବେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ହେଲେ ଅପରେସନ ପାଇଁ ଘରେ କାଣି କଉଡିଟିଏ ବି ନାହିଁ, ୧୫ ଲକ୍ଷ ଟଙ୍କା କେଉଁଠୁ ଆଣିବେ । ପରିବାରର ଏକମାତ୍ର ପୁଅର ଏମିତି ଅବସ୍ଥା ଦେଖିବା ପରେ କାହାରି ଆଖିରୁ ଲୁହ ଶୁଖୁନି । କିଛିଦିନ ହେବ ଘରେ ଚୁଲି ବି ଜଳୁନି । ନାତିକୁ ଭଲ କରିଦେବା ପାଇଁ କହିବା ବେଳେ ଜେଜେ ମାର ଲୁହ ବନ୍ଧ ବାଡ ମାନୁନି । ସେପଟେ ବ୍ରେନଷ୍ଟ୍ରୋକର ଶିକାର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଶଶୂରଙ୍କୁ ଡାକ୍ତର ଘରକୁ ଫେରାଇ ଦେଇଛନ୍ତି । ଆଉ ପୁଅ ଅବସ୍ଥା ବି ଦିନକୁ ଦିନ ଗୁରୁତର ହେଉଛି । ଏଭଳି ଦୁଃଖ ବନିତାଙ୍କ ମାନସିକ ଅବସ୍ଥାକୁ ଦୋହଲାଇ ଦେଇଛି ।

ଏଭଳି ଦୁଃଖି ପରିବାରକୁ ସାହାଯ୍ୟ କରିବା ପାଇଁ ଗାଁ ଲୋକମାନେ ହାତଯୋଡି ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ଯଦି ଆପଣ କୁନି ପୁଅ ସ୍ୱରାଜଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଲେଖି ରଖନ୍ତୁ ବ୍ୟାଙ୍କ ଡିଟେଲ୍ସ ।

ଆକାଉଣ୍ଟ ନମ୍ବର – ୩୨୭୬୦୫୦୫୬୩୪
ଆଇଏଫଏସସି କୋଡ – ଏସବିଆଇଏନ୦୦୧୨୦୫୯

ତେବେ ଆସନ୍ତୁ ଏକାଠି ହେବା କୁନି ପୁଅ ସ୍ୱରାଜକୁ ସାହାଯ୍ୟର ହାତ ବଢାଇବା । ଆଉ ତାକୁ ନୂଆ ଜୀବନ ଦେଇ ତା କୋଳକୁ ଫେରାଇ ଦେବା ।