ଦୁଷ୍କର୍ମ ଦୋଷୀ ରାମ ରହିମଙ୍କୁ ମିଳିଲା ୪୦ ଦିନର ପାରୋଲ । ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ, ମୁଁ ଏ ବିଷୟରେ ଜାଣିନି ।

135

କନକ ବ୍ୟୁରୋ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ଶନିବାର ଦିନ ହରିୟାଣାର ରୋହତକ ଜେଲରୁ ୪୦ ଦିନିଆ ପାରୋଲରେ ପଦାକୁ ବାହାରଛନ୍ତି । ଦୁଷ୍କର୍ମ ଏବଂ ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ରୋହତକ ଜିଲ୍ଲାର ସୁନାରିଆ କାରାଗାରରେ ଜେଲଦଣ୍ଡ ଭୋଗୁଥିବା ରାମ ରହିମଙ୍କୁ ୪୦ ଦିନିଆ ପାରୋଲ ମିଳିବା ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। ଏହାପରେ ସେ ଉତ୍ତରପ୍ରଦେଶ ଯାତ୍ରା କରିଛନ୍ତି । ଅନ୍ୟପଟେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏ ବିଷୟରେ ଜାଣିନଥିବା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଡେରା ସଚ୍ଚା ସୌଦା ମୁଖ୍ୟଙ୍କୁ ତିନିମାସ ପୂର୍ବରୁ ମଧ୍ୟ ଆଉ ଏକ ପାରୋଲ ପ୍ରଦାନ କରାଯାଇଥିଲା। ଅକ୍ଟୋବର-ନଭେମ୍ବରରେ ତାଙ୍କର ପୂର୍ବ ପାରୋଲ ଅବଧି ସମୟରେ ଦୁଷ୍କର୍ମକାରୀ ରାମ ରହିମ ଉତ୍ତରପ୍ରଦେଶର ବର୍ଣ୍ଣଓ୍ଵା ଆଶ୍ରମରେ ଅନେକ ଅନଲାଇନ୍‌ ‘ସତସଙ୍ଗ’ ଆୟୋଜନ କରିଥିଲେ। ଏଥିରେ ହରିୟାଣାର କେତେକ ବିଜେପି ନେତା ମଧ୍ୟ ଯୋଗ ଦେଇଥିଲେ । ଜାନୁଆରି ୨୫ରେ ଡେରାର ପୂର୍ବତନ ମୁଖ୍ୟ ଶାହା ସତନାମ ସିଂଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଆତ୍ମଘୋଷିତ ଧର୍ମଗୁରୁ ରାମ ରହିମ ଯୋଗଦେବାର ସମ୍ଭାବନା ରହିଛି ।

ଶନିବାର ଦିନ ହରିୟାଣା ଜେଲ ମନ୍ତ୍ରୀ ରଣଜିତ ସିଂ ଚୌତାଲା କହିଛନ୍ତି ଯେ ରାଜ୍ୟ ସରକାର ପାରୋଲ ଦିଅନ୍ତି ନାହିଁ ବରଂ କେବଳ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରନ୍ତି ଯାହା ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥାଏ। ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କର ଆମ ମାଧ୍ୟମରେ ପାରୋଲ ଆବେଦନ କରିବାର ଅଧିକାର ଅଛି। ଆମେ ଏହାକୁ ଦକ୍ଷ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇଥାଉ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ୨୦୨୧ରେ ରାମ ରହିମ ଏବଂ ଅନ୍ୟ ଚାରିଜଣ ମଧ୍ୟ ଡେରା ମ୍ୟାନେଜର ରଣଜିତ ସିଂଙ୍କୁ ହତ୍ୟା ଷଡଯନ୍ତ୍ର କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୧୬ ବର୍ଷ ପୂର୍ବେ ଜଣେ ସାମ୍ବାଦିକଙ୍କ ହତ୍ୟା ଅଭିଯୋଗରେ ଡେରା ମୁଖ୍ୟ ଏବଂ ଅନ୍ୟ ତିନି ଜଣଙ୍କୁ ୨୦୧୯ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ରାମ ରହିମ ମଧ୍ୟ ତାଙ୍କ ଦୁଇ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ବର୍ତ୍ତମାନ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି।