ସଂସଦରେ ଲିଖିତ ଜବାବ ରଖିଲେ ବିଭାଗୀୟ ମନ୍ତ୍ରୀ, ଗୃହମନ୍ତ୍ରଣାଳୟ ଅଧିନରେ ଆସୁଥିବା ବିଭାଗରେ ୧ଲକ୍ଷରୁ ଅଧିକ ପଦ ଖାଲି

140

କନକ ବ୍ୟୁରୋ : ଦେଶରେ ବଢୁଥିବା ବେରୋଜଗାରୀଙ୍କୁ ନେଇ ବିରୋଧୀଦଳମାନେ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ପ୍ରତି ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକଦଳମାନେ ବେରୋଜଗାର ଓ ନିଯୁକ୍ତିକୁ ବଡ ପ୍ରସଙ୍ଗ କରିଥାନ୍ତି । ଏହି କ୍ରମରେ ସଂସଦର ମୌସୁମୀ ଅଧିବେଶନ ବେଳେ ଗୃହମନ୍ତ୍ରଣାଳୟ ଅଧିନରେ ଥିବା ବିଭାଗରେ କେତେ ଖାଲି ପଦ ରହିଛି ତାହାକୁ ନେଇ ପ୍ରଶ୍ନ ପଚରାଯାଇଥିଲା । ସମାଜବାଦୀ ପାର୍ଟିର ସାଂସଦ ଜାବେଦ ଅଲ୍ଲୀ ଖାନ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଠାରୁ ଲିଖିତ ଜବାବ ଦାବି କରି ପଚାରିଥିଲେ କି ଗୃହମନ୍ତ୍ରଣାଳୟ ଅଧିନରେ ଆସୁଥିବା ବିଭାଗରେ କେତେ ପଦ ଖାଲି ପଡିଛି । ଏହାର ଜବାବରେ କୁହାଯାଇଛି କି ଗୃହମନ୍ତ୍ରଣାଳୟ ଅଧିନରେ ଆସୁଥିବା ବିଭାଗ ଓ କେନ୍ଦ୍ରୀୟ ବଳରେ ପାଖାପାଖି ୧,୧୪,୨୪୫ ପଦବୀ ଖାଲି ପଡିଛି ।

ସାଂସଦ ଜାବେଦ ଅଲ୍ଲୀ ଖଶନ ବିଭିନ୍ନ ବିଭାଗ ଏବଂ ଅର୍ଦ୍ଧସାମରିକ ବାହିନୀରେ ଖାଲି ପଡିଥିବା ପଦବୀର ବିବରଣୀ ମାଗିଥିଲେ । ତାଙ୍କର ପ୍ରଶ୍ନ ଥିଲା କି ସରକାର ୨୦୨୩ ମସିହାରେ ଅତିକମରେ ୧୦ଲକ୍ଷ ପଦବୀ ପୂରଣ କରିବାକୁ ଘୋଷଣା କରିବା ପରେ ୨୦୨୩ରେ ବିଜ୍ଞାପନ ଓ ପୂରଣ ହୋଇଥିବା ଖାଲି ପଦବୀର ସଂଗଠନଭିତ୍ତିକ ବିବରଣୀ କଣ ?

ସମାଜବାଦୀ ସାଂସଦଙ୍କ ପ୍ରଶ୍ନର ଜବାବ ଦେଇ ଗୃହମନ୍ତ୍ରୀ କହିଛନ୍ତି କି, ଗୃହମନ୍ତ୍ରଣାଳୟ ଏବଂ ଏହା ଅଧିନରେ ଥିବା ଅର୍ଦ୍ଧସାମରିକ ବାହିନୀ ଏବଂ କେନ୍ଦ୍ରୀୟ ପୋଲିସ ସଂଗଠନରେ ସମୁଦାୟ ପଦବୀ ସଂଖ୍ୟା ବର୍ତ୍ତମାନ ପ୍ରାୟ ୧,୧୪,୨୪୫ ଖାଲି ପଡିଛି । ଏଥିରେ ୩୦୭୫ (ଗ୍ରୁପ ଏ), ୧୫୮୬୧ (ଗ୍ରୁପ-ବି), ଏହାସହ ୯୫୩୦୯ ଗ୍ରୁପ ସି ପଦବୀ ଖାଲି ପଡିଛି ।

ଗୃହମନ୍ତ୍ରଣାଳୟ ଏହାର ଲିଖିତ ଜବାବରେ ଆହୁରି କହିଛି ଯେ ଖାଲି ଥିବା ପଦବୀରେ ନିଯୁକ୍ତି ଏକ ନିରନ୍ତର ପ୍ରକ୍ରିୟା । ଖାଲି ପଡିଥିବା ପଦବୀ ଆସିବା ପରେ ବିଭିନ୍ନ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ କରାଯାଇ ନିୟମ ଅନୁଯାୟୀ ନିଯୁକ୍ତି ଦିଆଯାଇଥାଏ । ୨୦୨୩ ମସିହାରେ ପ୍ରାୟ ୩୧,୮୭୯ଟି ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିବା ବେଳେ ସେଥିରୁ ୧୧୨୬ଟି ପଦବୀ ପୂରଣ ହୋଇଛି । ଖାଲି ପଡିଥିବା ପଦବୀଗୁଡିକର ପୂରଣ ପାଇଁ ମନ୍ତ୍ରଣାଳୟ ନିୟମିତ ଭାବେ ନିଯୁକ୍ତି ଅଗ୍ରଗତିର ସମୀକ୍ଷା କରୁଛି ।