ପୋଷ୍ଟାଲ ଏଜେଣ୍ଟଙ୍କ ହାଇପ୍ରୋଫାଇଲ କାରନାମା: ବିଶ୍ୱାସରେ ବିଷ ଦେଇ ଖାଇଗଲେ କୋଟିଏ ଟଙ୍କା

230

କନକ ବ୍ୟୁରୋ: ରିମାଣ୍ଡରେ ଆସିବେ ପୋଷ୍ଟାଲ ଏଜେଂଟ ସ୍ୱର୍ଣ୍ଣଲତା । ମିଛ କହି ପୁରୁଣା ଭୁବନେଶ୍ୱର ଅଂଚଳର ୯୮ ଜମାକାରୀଙ୍କ ଠାରୁ ଲୁଟି ନେଇଛନ୍ତି କୋଟିଏରୁ ଅଧିକ ଟଙ୍କା । ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି କମିଶନରେଟ ପୋଲିସ୍ ।

ସ୍ୱର୍ଣ୍ଣଲତା ଦାସ । ମହିଳା ପୋଷ୍ଟାଲ ଏଜେଂଟ । ଜଣେ ମହିଳା ଏତେ ଯେ ମାରାତ୍ମକ ହୋଇପାରନ୍ତି, ତାହା କେହି କେବେ ଭାବିନଥିବେ । ସର୍ଟକଟରେ ଟଙ୍କା କମାଇବାର ନିଶା ତାଙ୍କୁ ଅବଶ୍ୟ କୋଟିପତି କରିଛି, ହେଲେ ତାଙ୍କର କଳା କାରନାମା ଏବେ ଜେଲର କାଳକୋଠରୀକୁ ଠେଲି ଦେଇଛି । ଏହି ମହିଳା ଜଣକଙ୍କ ନାଁରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ପୋଲିସ୍ ତଦନ୍ତ ବେଳେ ତାଙ୍କର ଅସଲ ମୁଖା ସାମ୍ନାକୁ ଆସିଛି ।

ଅଭିଯୋଗ ଅନୁଯାୟୀ ଏହି ୪୨୦ ମହିଳା ଗୃହିଣୀମାନଙ୍କୁ ଟାର୍ଗେଟ କରୁଥିଲେ । ଅଧିକ ଟଙ୍କାର ଲୋଭ ଦେଖାଇ ପୋଷ୍ଟାଲ ସ୍କିମ ନାଁରେ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ, ହେଲେ ତାକୁ ଜମା ନକରି ନିଜେ ଚଳୁ କରିଦେଉଥିଲେ । ଆଉ ଜମା ଖାତାର ଅପଡେଟ୍ ମାଗିଲେ ଦେହଖରାପର ଆଳ ଦେଖାଇ ଖସି ଯାଉଥିଲେ । ବିଶେଷକରି ଆରଡି, ଏଫଡି କରିବାକୁ କହି ଜଣେ କି ଦୁଇ ଜଣ ନୁହେଁ, ବରଂ ୯୮ ଜମାକାରୀଙ୍କ ୧୨୯ଟି ଆକାଉଂଟରୁ କୋଟିରୁ ଅଧିକ ଟଙ୍କା ଚଳୁ କରିନେଇଥିବା ଜାଣିବାକୁ ପାଇଛି ପୋଲିସ୍ । ଠକ ମହିଳା ପୋଷ୍ଟାଲ ଏଜେଂଟଙ୍କୁ ଗିରଫ କରାଯିବା ସହ ସିଆରପିସି ୧୬୧ ଧାରାରେ ତାଙ୍କର ବୟାନ ରେକର୍ଡ ହୋଇଛି । ତାଙ୍କ ବିରୋଧରେ ଦଫା ୪୧୭, ୪୨୦, ୪୦୬, ୨୯୪, ୫୦୬ ଲଗାଇଛି ପୋଲିସ୍ ।

ଠକେଇ କରିଥିବା କୋଟି କୋଟି ଟଙ୍କା ସ୍ୱର୍ଣ୍ଣଲତା କେଉଁଠି ରଖିଛନ୍ତି?କେବେ, କେମିତି ଓ କେଉଁ ବାବଦକୁ ଖର୍ଚ୍ଚ କରିଛନ୍ତି ସେ ନେଇ ଛାନଭିନ୍ ଜାରି ରହିଛି । କୁହାଯାଉଛି ନିଜ ସମ୍ପର୍କୀୟଙ୍କ ସହାୟତାରେ ଏହି ଠକ ସିଣ୍ଡିକେଟ ଚାଲିଥିଲା । ଏନେଇ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରିବାକୁ ଯୋଜନା କରିଛି ପୋଲିସ୍ ।